ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ ! ପାକ୍ ଗଣମାଧ୍ୟମରେ ଚର୍ଚ୍ଚା, ଭୟରେ ନିଜ ସୈନିକଙ୍କୁ ହାଇ ଆଲର୍ଟ କଲେ ଇମରାନ୍ ସରକାର

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ, ୧୦/୧୨:   ପାକିସ୍ତାନକୁ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକର ଭୟ ଘାରିଛି । ପାକିସ୍ତାନର ପ୍ରମୁଖ ଖବର କାଗଜ ଟ୍ରିବ୍ୟୁନ୍ ଏକ୍ସପ୍ରେସ କହିଛି ଯେ, ଗୁଇନ୍ଦାର ରିପୋର୍ଟରେ ଭାରତ ସରକାର ପୁଣି ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି । କୃଷକ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ଭାରତ ସରକାର ଏହି ପଦକ୍ଷେପ ନେବେ । ଏହାକୁ ନେଇ ଏଲଓସିରେ ସୈନିକଙ୍କୁ ହାଇ ଆଲର୍ଟ କରାଯାଇଛି ।

ଏକ୍ସପ୍ରେସ୍ ଟ୍ରିବ୍ୟୁନରେ ଖବର ପ୍ରକାଶ ପାଇଛି ଯେ, ମୋଦୀ ସରକାର ଦେଶରେ ଜାରି ବିରୋଧ ପ୍ରଦର୍ଶନକୁ ଦୁର୍ବଳ କରିବା ପାଇଁ କିଛି ବି ହେଲେ କରିପାରନ୍ତି । ଭାରତ ସରକାର କୃଷକ ଆନ୍ଦୋଳନକୁ ଖଲିସ୍ତାନ ଆନ୍ଦୋଳନର ସହଯୋଗ ମିଳିବା କଥା ଚାହୁଁନାହାଁନ୍ତି । ସମ୍ଭାବ୍ୟ ସର୍ଜିକାଲ ଷ୍ଟ୍ରାଇକ ଭୟରେ ଏଲଓସିରେ ପାକିସ୍ତାନୀ ସୈନିକଙ୍କୁ ଆଲର୍ଟ କରାଯାଇଛି ।

ସେହିପରି ଜିୟୋ ନ୍ୟୁଜର ରିପୋର୍ଟ ଅନୁସାରେ,ଏଲଓସି ଓ ଫେନସିଂ ବାଉଣ୍ଡରୀରରେ ସୈନିକଙ୍କୁ ହାଇ ଆଲର୍ଟ କରାଯାଇଛି । ଭାରତର କୌଣସି ଦୁଃସାହସର ଜବାବ ଦେବାକୁ ସୈନ୍ୟଙ୍କୁ କୁହାଯାଇଛି । ଭାରତ ସଂଖ୍ୟାଲଘୁ, କୃଷକ ଆନ୍ଦୋଳନ ଓ କାଶ୍ମୀର ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସରକାର ଏହି ପଦକ୍ଷେପ ନେଇପାରନ୍ତି । ଏପରିକି ଲଦାଖରେ ମଧ୍ୟ ଅନେକ ଚ୍ୟାଲେଞ୍ଜକୁ ଭାରତ ସାମ୍ନା କରୁଛି ।

ସୂଚନାଯୋଗ୍ୟ, ଭାରତ ସରକାର ଉରି ଆକ୍ରମଣ ଓ ପୁଲଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ୪୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଭାରତର ଏହି ଆକ୍ରମଣ ପାକିସ୍ତାନକୁ ଥରାଇ ଦେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.