ଲିଭିନି ବାଲ୍ମିକୀ ନିଆଁ ଏପଟେ ପୁଣି ହାଥରସରେ ଆଉ ଏକ ଦୁଷ୍କର୍ମ: ଚିକିତ୍ସାଧୀନ ଅବସ୍ଥାରେ ୬ ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | October 06, 2020 IST

ହାଥରସ ୦୬/୧୦ : ହାଥରସ ଗଣଦୁଷ୍କର୍ମ ମାମଲା ଥଣ୍ଡା ନ ହେଉଣୁ ହାଥରସରେ ଆଉ ଜଣେ ଶିଶୁ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୬ ବର୍ଷର ନିରୀହ ଶିଶୁ ସହ ତାର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ଗମ୍ଭୀର ହେବାରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଶିଶୁର ମୃତଦେହ ଆଣି ପରିବାର ଲୋକେ ଗାଁ ବାହାରେ ରାସ୍ତା ଉପରେ ରଖି ରାସ୍ତା ଯାମ କରିଥିଲେ। ପୀଡିତାଙ୍କ ପରିବାର ଲୋକ ଆଲିଗଡ ପୋଲିସ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ତାଙ୍କ ଦାବି ପୁରା ନ ହେବା ଯାଏଁ ଶିଶୁର ଅନ୍ତିମ ସଂସ୍କାର କରାଯିବ ବାହିଁ ବୋଲି ଶିଶୁର ପରିବାର ଲୋକ କହିଛନ୍ତି।

ରୁଜ୍ଜୁ ହୋଇଥିବା ମାମଲା ଅନୁଯାୟୀ ମୃତକ ଶିଶୁର ମା'ଙ୍କ ମୃତ୍ୟୁ ୭ ମାସ ପୂର୍ବରୁ ହୋଇଥିଲା। ମା'ର ମୃତ୍ୟୁ ପରେ ଶିଶୁକୁ ତାଙ୍କ ମାଉସୀ ନିଜ ସହ ତାଙ୍କ ଘରକୁ ନେଇଯାଇଥିଲେ। ଶିଶୁର ବାପା ଅଭିଯୋଗ କରିଛନ୍ତି ଯେ ୧୦ ଦିନ ପୂର୍ବରୁ ତାଙ୍କ ଝିଅ ସହ ଏହି ଅମାନୁଷିକ କାଣ୍ଡ ହୋଇଥିଲା। ଏହାପରେ ତାର ଚିକିତ୍ସା ନ କରି ତାକୁ ବାଥରୁମରେ ବନ୍ଦ କରିଦେଇଥିଲେ। ଘର ବାହାରେ ଖେଳୁଥିବା ପିଲାମାନେ ଶିଶୁର କାନ୍ଦୁଥିବା ଆବାଜ ଶୁଣି ପାଟି କରିଥିଲେ। ଏହାପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଚାଇଲ୍ଡ ହେଲ୍ପ ଲାଇନ ସାହାଯ୍ୟରେ ଶିଶୁକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ତାକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି।

ଶିଶୁର ବାପାଙ୍କ ଅଭିଯୋଗକ୍ରମେ ଆଲିଗଡ ମଉସା ଓ ତାଙ୍କ ପୁଅ ବିରୋଧରେ ଆଇପିସି ଧାରା ୩୨୩, ୩୪୨, ୩୭୬, ୧୨୦ବି ରେ ମାମଲା ରୁଜ୍ଜୁ କରାଯାଇଛି। ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.