୫୫ ବର୍ଷ ହେଲା ପାକିସ୍ତାନ ଜେଲରେ ଆନନ୍ଦ, ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକେ, କିନ୍ତୁ ଜୀବିତ ନା ମୃତ ଲାଗିରହିଛି ଦ୍ୱନ୍ଦ୍ୱ

Published By : Prameya-News7 Bureau | November 22, 2020 IST

ଭଦ୍ରକ, ୨୨|୧୧:   ୩୧ ବେଙ୍ଗଲ ଡ଼ିଫେନ୍ସ ରେଜିମେଣ୍ଟର ଜି କମ୍ପାନୀର ସିପାହୀ ଥିଲେ ଆନନ୍ଦ ପତ୍ରୀ । ଅଫିସର ପନ୍ନାଲାଲଙ୍କ ନେତୃତ୍ଵରେ ଭରତ ପାକିସ୍ଥାନ ଯୁଦ୍ଧ ଲଢୁଥିଲେ । ହଟାଠ ଗାଁକୁ ଆସିଲା ଚିଠି । ଗାଁର ପାଠ ପଢୁଆ ଲୋକ ଚିଠି ଦେଖି କହିଲେ ଆନନ୍ଦ ଯୁଦ୍ଧ ବେଳେ ନିଖୋଜ ହୋଇଯାଇଛି । ବାସ ତା ପରଠାରୁ ଖୋଜୁଛନ୍ତ ଘର ଓ ପରିବାର ଲୋକେ । ଏମିତି କି ପେପରରେ ଗୃହ ବିଭାଗର ବିଜ୍ଞାପନରେ ଆନନ୍ଦଙ୍କ ଫୋଟୋ ଦେଖି ଜାଣିଥିଲେ ଯେ ଆନନ୍ଦ ଏବେ ଲାହୋର ଜେଲରେ । ପୁଣି ଚିଠି ଆସିଲା ଯେ ପାକିସ୍ତାନ ଯୁଧ୍ୟ ବନ୍ଦୀଙ୍କୁ ମୁକ୍ତ କରିବ । ପରିବାର ଲୋକେ ୱାଘା ବର୍ଡର ଯାଇଥିଲେ । ଅନେକ ବନ୍ଦୀ ଫେରିଲେ ପାକିସ୍ଥାନରୁ କିନ୍ତୁ ଆନନ୍ଦ ଫେରିଲେନି । ଏବେ ଆନନ୍ଦଙ୍କ ପରିବାର ଆଶାବାଦୀ । ଯଦି ବିରଜୁ କୁଲୁ ଫେରୁଛନ୍ତି ତେବେ ଯୁଦ୍ଧ ବନ୍ଦୀ ଆନନ୍ଦ କାହିଁକି ଫେରିବ ନାହିଁ । ଆଶନ୍ତୁ ନଜର ପକାଇବା ଭଦ୍ରକ ଜିଲ୍ଲାର ଏହି ସିପାହୀଙ୍କ ପରିବାରର ୫୫ ବର୍ଷର ଅପେକ୍ଷାର କାହାଣୀ ଉପରେ।

ଆନନ୍ଦ ପତ୍ରୀ, ଘର  ଭଦ୍ରକ ଭଦ୍ରକ ଜିଲ୍ଲାରେ । ଧାମନଗର ବ୍ଲକ କଲ୍ୟାଣୀରେ ଏବେ ପରିବାର ରହୁଛନ୍ତି । ସାଂଳପୁରରେ ରହୁଥିବା ବେଳେ ଆନନ୍ଦ ସେନା ବାହିନୀରେ ଯୋଗ ଦେଲେ । ୩୧ ବେଙ୍ଗଲ ଡ଼ିଫେନ୍ସ ରେଜିମେଣ୍ଟର ଜି କମ୍ପାନୀର ସିପାହୀ ଥିଲେ ଆନନ୍ଦ ପତ୍ରୀ । ୧୯୬୨ରେ ଭରତ ଚାଇନା ଲଢେଇରେ ସାମିଲ ହୋଇଥିଲେ । ପରେ ଘରକୁ ଆସିଥିଲେ । ପୁଅ ବିଦ୍ୟାଧର ବାପାଙ୍କ ଡ୍ରେସ ଆଉ ବେଡିଙ୍ଗ ନେଇ ବାଟୋଇ ଦେଇଥିଲେ ।ଏହା ପରେ ୧୯୬୫ରେ ଭରତ ପାକିସ୍ଥାନ ଲଢେଇ ହେଲା । ସେତେବେଳେ ମୋବାଇଲ ନଥିଲା କି ସୋସିଆଲ ମିଡିଆ ନଥିଲା । ଚିଠି ଆସିଲା । ଘର ଲୋକ ଗାଁର ପାଠ ପଢୁଆ ଲୋକଙ୍କ ପାଖକୁ ଗଲେ ଆଉ ବାବୁ କହିଲେଯେ ଭାରତ ପାକିସ୍ତାନ ଲଢେଇରେ ଆନନ୍ଦ ନିଖୋଜ । ବାସ ଆଉ ହାତ ଗୋଡ ପାଇଲା ନାହିଁ । ଘର ଲୋକେ ଅନେଇ ରହିଲେ କେବେ ଖୋଜ ଖବର ମିଳିବ । କିନ୍ତୁ ପୁଣି ଖବର କାଗଜରେ ୨୦୦୩ ମସିହାରେ ଗୃହ ବିଭାଗର ବିଜ୍ଞାପନ ଦେଖିଲେ ଯେଉଁଥିରେ ଆନନ୍ଦଙ୍କ ଫୋଟୋ ଥିଲା କିନ୍ତୁ ନାମ ଥିଲା ୧୭୮ ଡି ।  ଏବେ ସେ ଲାହୋର ଜେଲରେ ବନ୍ଦୀ ଅଛନ୍ତି କିନ୍ତୁ ମାନସିକ ସ୍ଥିତି ଭଲ ନାହିଁ ବୋଲି ପେପରରେ ଉଲ୍ଲେଖ ହୋଇଥିଲା । ଆନନ୍ଦଙ୍କ ପୁଅ ବାପାଙ୍କୁ ଚିହ୍ନିଲେ । ପରେ ଗୃହ ବିଭାଗ ସହ ଯୋଗାଯୋଗ କଲେ ।  ମେ ୨୯, ୨୦୦୩ରେ ଚିଠି ଆସିଲା ଯେ ଆନନ୍ଦ ଫେରିବେ । ପୁଅ ବିଦ୍ୟାଧର ୱାଘା ବର୍ଡରକୁ ଗଲେ । ଭାରତ ସୀମାରେ ପାକିସ୍ତାନୀ ବନ୍ଦୀ ଓ ପାକିସ୍ତାନ ସୀମାରେ ଭାରତର ବନ୍ଦୀ ବସିଥିଲେ । ତାହା ଭିତରେ ପୁଅ ଅନୁଭବ କଲେ ଯେ ତାଙ୍କ ବାପା ବସିଛନ୍ତି ଆଉ ଆସିବେ । କିନ୍ତୁ ଦୁଇ ଦିନରେ ବି ବାପା ଆସିଲେନି । ବାସ ସେଇଠାରୁ ସରିଗଲା କାହାଣୀ । ପୁଅ ଫେରିଲେ । କିନ୍ତୁ ମନେ ମନେ ଭାବୁଥିଲେ ବାପା ଆରପଟ ପାକିସ୍ତାନରେ ଥିଲେ ଆସିଲେନି କାହିଁକି । ଏବେ ବି ଭାଇ, ପୁଅ ଆଉ ବୋହୁ ଅନେଇ ବସିଛନ୍ତି ଆନନ୍ଦଙ୍କୁ ।

{"id":365648,"sizeSlug":"large"}

ସେହି ଦିନ ଠାରୁ  ଆନନ୍ଦଙ୍କ ମୁକ୍ତି ପାଇଁ ଉଦ୍ୟମ ଜାରି ରଖିଛନ୍ତି ତାଙ୍କ ପୁଅ ବିଦ୍ୟାଧର । ଏନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭାରତ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି । ଏପରିକି ଆନନ୍ଦଙ୍କ ମୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମୟରେ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ଭିତରେ ଆନନ୍ଦ ନିଖୋଜ ହେବାକୁ ଦୀର୍ଘ ୫୫ ବର୍ଷ ବିତିଗଲାଣି ବୋଲି କହନ୍ତି ତାଙ୍କ ପୁଅ । ହେଲେ ସେ କେଉଁଠି ଅଛନ୍ତି ଓ କେମିତି ଅଛନ୍ତି ସେ ନେଇ ବୈଦେଶିକ ମନ୍ତ୍ରାଳୟ ପାଖରେ କୌଣସି ସଠିକ୍ ତଥ୍ୟ ଅଛି କି ନାହିଁ । କିନ୍ତୁ ଲାହୋର ଜେଲ ଥିବା ଆନନ୍ଦଙ୍କ ଫୋଟୋକୁ ୨୦୦୬ ମସିହାରେ ନସିମ ଗୋପାଳ ନାମକ ଜଣେ ବନ୍ଦୀଙ୍କ ନାମରେ  ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରାଳୟ । ଏବେ ପରିବାର ଲୋକେ କହୁଛନ୍ତି ଯେ ଆନନ୍ଦଙ୍କ ମାନସିକ ବିକୃତି ପାଇଁ ତାଙ୍କ ନାମ ଭୁଲ କହୁ ଥାଇପାରନ୍ତି । କିନ୍ତୁ ତାଙ୍କ ଫଟୋ ଆନନ୍ଦଙ୍କ ଭଳି ଲାଗୁଛି । ତେଣୁ ସେ ଏବେ ଜୀବିତ କି ମୃତ ଏହାର ସତ୍ୟତା ଜଣାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ତାଙ୍କ ପରିବାର । ଯଦି ଆନନ୍ଦ ମୃତ ତେବେ ସରକାର ଜଣାନ୍ତୁ ।  ଏପର୍ଯ୍ୟନ୍ତ ଯଦି ଆନନ୍ଦ ଜୀବିତ ତେବେ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରନ୍ତୁ ପାକିସ୍ତାନ ସରକାର । ନହେଲେ ମୃତ ଘୋଷଣା କରନ୍ତୁ ବୋଲି କହିଛନ୍ତି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.