ମିଥ୍ୟା ଖବର ପ୍ରସାରଣ ଘଟଣା, ଆଜି ହାଜର ହେବାକୁ ଓଟିଭିକୁ ସାନି ନୋଟିସ୍
12/08/2020 at 9:44 AM

ଭୁବନେଶ୍ୱର ୧୨।୦୮: ଓଡ଼ିଶା ଟେଲିଭିଜନ୍ (ଓଟିଭି) ଚ୍ୟାନେଲରେ କୋଭିଡ୍ ହସ୍ପିଟାଲ୍ ସଂପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣ ହୋଇଥିଲା । ଏହି ଘଟଣାରେ ଦିନକୁ ଦିନ ଓଟିଭି ଛନ୍ଦି ହୋଇଯାଉଛି । ବାରମ୍ବାର ପୁଲିସ ନୋଟିସ୍ ପରେ ସଂସ୍ଥାର କୌଣସି କର୍ମଚାରୀ ଥାନାରେ ହାଜର ହେଉନାହାନ୍ତି । ପୁଣି ଥରେ ଓଟିଭିକୁ ନୋଟିସ୍ କରିଛି କ୍ୟାପିଟାଲ୍ ଥାନା ପୁଲିସ୍ । ବୁଧବାର ଅପରାହ୍ଣ ସୁଦ୍ଧା ସମ୍ପାଦକ, ଇନ୍ପୁଟ୍ ହେଡ୍ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ହାଜର ହେବାକୁ ଉକ୍ତ ନୋଟିସ୍ରେ ଉଲ୍ଲେଖ ରହିଛି । ଧାର୍ଯ୍ୟ ସମୟ ମଧ୍ୟରେ ହାଜର ନହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି ।
ସେପଟେ ପୁଲିସ୍ ୨ ଅଭିଯୁକ୍ତ ଓରଟେଲ୍ କମ୍ୟୁନିକେସନ୍ର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ବନ୍ଧୁ ବିଶ୍ୱଜିତ୍ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି । ପ୍ରଥମ ଦିନ ଜେରାରେ ପୁଲିସ୍କୁ କିଛି ତଥ୍ୟ ମିଳିଛି । ପୁଲିସ୍ ୨ ଅଭିଯୁକ୍ତଙ୍କ କଲ୍ ଡିଟେଲ୍ସ ରେକର୍ଡ (ସିଡିଆର) ଯାଞ୍ଚ କରିଛି । ଏଥିରେ ଓଟିଭିର କିଛି ବରିଷ୍ଠ କର୍ମଚାରୀଙ୍କ ନମ୍ବର ପାଇଛି ପୁଲିସ୍ । ଉକ୍ତ ଅଡିଓ କ୍ଲିପ୍ କେଉଁ ଷ୍ଟୁଡିଓରେ ଏଡିଟ୍ ହୋଇଛି? କେଉଁମାନେ ଏଥିରେ ସାମିଲ୍ ଅଛନ୍ତି ? ସେ ବିଷୟରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଓଟିଭି ସମ୍ପାଦକ, ଇନ୍ପୁଟ୍ ହେଡ୍ ଓ ଅନ୍ୟ ଜଣେ କର୍ମଚାରୀ ଥାନାରେ ହାଜର ହେଲେ ନାହିଁ । ବାରମ୍ବାର ନୋଟିସ୍ ପରେ ଏମାନେ ଥାନାକୁ ନ ଆସିବାରୁ କ୍ୟାପିଟାଲ ଥାନା ପୁଲିସ୍ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି । ସେପଟେ ଓଟିଭି ପକ୍ଷରୁ ମଧ୍ୟ କ୍ୟାପିଟାଲ୍ ଥାନା ଆଇଆଇସିଙ୍କ ବିରୋଧରେ ଡିସିପିଙ୍କ ନିକଟରେ ଏତଲା ଦିଆଯାଇଛି । ଆଇଆଇସି ଶ୍ରୀ ଚକ୍ରବର୍ତ୍ତୀ ଆଇନ ଉଲ୍ଲଂଘନ କରିଥିବା ଓଟିଭି ଏତଲାରେ ଦର୍ଶାଇଛି । ଗତକାଲି ପୁଲିସ୍ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୩ଦିନ ରିମାଣ୍ଡ ପାଇଁ ଏସଡିଜେଏମ୍ କୋର୍ଟଙ୍କୁ ଅନୁମତି ମାଗିଥିଲା ପୁଲିିସ୍ । କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିଛି । ପୁଲିସ କହିଛି, ଅଡିଓ କ୍ଲିପ୍ଟି ପ୍ରାୟୋଜିତ । ଉଭୟଙ୍କ କଥୋପକଥନକୁ ରେକର୍ଡିଂ ପରେ ଏଡିଟ୍ କରାଯାଇ ଭାଇରାଲ କରାଯାଇଛି ବୋଲି ପ୍ରମାଣ ମିଳିଛି । ଏଥିରେ ଅଭିଯୁକ୍ତଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି । କାହା ପ୍ରରୋଚନାରେ ପଡ଼ି ଯୋଜନାବଦ୍ଧ ଭାବରେ ଏହି ଅଡିଓ ଭାଇରାଲ ହୋଇଥିଲା? ଏହା ପଛରେ ‘ଓଟିଭି’ର କେଉଁ ମାନଙ୍କ ହାତ ରହିଛି ? ୩ ଦିନ ମଧ୍ୟରେ ଏ ସବୁ ତଥ୍ୟ ଆଦାୟ ହେବ ବୋଲି କ୍ୟାପିଟାଲ ଥାନା ପୁଲିସ୍ କହିଛି ।