ବ୍ରିଟେନ ପରେ ନାଇଜେରିଆରେ ମିଳିଲା Covidର ଆଉ ଏକ ନୂଆ ଷ୍ଟ୍ରେନ୍,ଭୂତାଣୁ ମ୍ୟୁଟେସନ ଯୋଗୁ ବଢୁଛି ବିପଦ
24/12/2020 at 8:46 PM

ଆବୁଜା: ବ୍ରିଟେନ କୋଭିଡ ଭୂତାଣୁର ୨ଟି ନୂଆ ପ୍ରକାର ନେଇ ସୂଚନା ଦେବା ପରେ ଏବେ ନାଇଜେରିଆରେ କରୋନା ଭାଇରସର ନୂଆ ପ୍ରକାରକୁ ନେଇ ଖବର ଆସୁଛି। ଭୂତାଣୁ ବାରମ୍ବାର ମ୍ୟୁଟେସନ କରୁଥିବାର ଏହା ପୂର୍ବାପେକ୍ଷା ଅଧିକ ଘାତ ହେଉଥିବା ଏବେ ବୈଜ୍ଞାନିକ ମଧ୍ୟ ସ୍ୱୀକାର କରିଛନ୍ତି। ଭୂତାଣୁର କାୟାକଳ୍ପ ସୂଚନା ପରେ ନାଇଜେରିଆରେ ସଂକ୍ରମଣକୁ ନେଇ ଆତଙ୍କ ଖେଳିଯାଇଛି। ଏବେ ବୈଜ୍ଞାନିକ ଭୂତାଣୁର ନାଇଜେରିଆ ଷ୍ଟ୍ରେନ ଉପରେ ଗବେଷଣା ଆରମ୍ଭ କରିଥିବା କହିଛନ୍ତି।
ବ୍ରିଟେନରେ ବ୍ୟାପୁଥିବା ନୂଆ ପ୍ରକାର ଭୂତାଣୁ ୫୬ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଏବେ ଗବେଷଣାରୁ ଜଣାପଡିଛି, ହେଲେ ସେପରି ଘାତକ ନୁହେଁ। ତଥାପି ଭୂତାଣୁର ପ୍ରତିକ୍ରିୟା ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ତେବେ ନାଇଜେରିଆ ଷ୍ଟ୍ରେନ କେତେ ବିପଦଜନକ ବିସ୍ତୃତ ଅନୁଧ୍ୟାନ ପରେ ହିଁ ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ।
ଆଫ୍ରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ମୁଖ୍ୟ ଜନ୍ କେଗାସୋଙ୍ଗ ନାଇଜେରିଆରୁ ମିଳିଥିବା କୋଭିଡ ଷ୍ଟ୍ରେନ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି। ନାଇଜେରିଆ ସିଡିସି ଓ ଆଫ୍ରିକାନ ସେଣ୍ଟର ଅଫ ଏକ୍ସେଲେନ୍ସ ଫର ଜିନୋମିକ ଅଫ ଇନଫେକ୍ସିୟସ ଡିଜିଜ୍ ଏବେ ନମୁନାର ମିଳିତ ଯାଞ୍ଚ କରୁଛନ୍ତି। ତେବେ ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ ଯେପରି ଚାଞ୍ଚଲ୍ୟ ସୃଷ୍ଟି ନ ହୁଏ ସେଥିଲାଗି ପୂର୍ଣ୍ଣ ଯାଞ୍ଚ ପରେ ହିଁ ବୈଜ୍ଞାନିକ ଯାହା କହିପାରିବେ ବୋଲି ସୂଚିତ କରିଛନ୍ତି।
କରୋନାର ଏହି ନୂଆ ପ୍ରକାର ଅଗଷ୍ଟ ୩ ତାରିଖରେ ସଂଗୃହୀତ ୨ ସଂକ୍ରମିତଙ୍କ ନମୁନାରେ ଠାବ ହୋଇଥିଲା। ପରେ ଅକ୍ଟୋବର ୯ ତାରିଖରେ ନାଇଜେରିଆର ଓସୁନ ରାଜ୍ୟରେ ହୋଇଥିବା ପରୀକ୍ଷଣରେ ଏହି ନମୁନା ମିଳିଥିଲା। ଏବେ ଦେଶରେ ପ୍ରାୟ ୮୦ ହଜାରରୁ ଅଧିକ ଲୋକେ କୋଭିଡ ଆକ୍ରାନ୍ତ ହୋଇଥିବା ସରକାରୀ ସୂଚନାରୁ ଜଣାପଡିଛି। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଆଗାମୀ ୬ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି। ଏଣୁ ଗରୁ ବାହାରକୁ ବାହାରିଲେ ମାସ୍କ, ଭିଡରୁ ଦୂରେଇ ରହିବା ଏବଂ ପ୍ରତି ଥର ହାତ ଧୋଇବାର ଅଭ୍ୟାସ ବଳବତ୍ତ ରଖିବାକୁ ପରାମର୍ଶ ଦେଇଛନ୍ତି।