ଖୁବଶୀଘ୍ର ଆସିବ ଆଉ ଏକ ସ୍ବଦେଶୀ କରୋନା ଟିକା, ୩୦କୋଟି ଡୋଜ୍‌ ଅର୍ଡର ଦେଲେ ସରକାର

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୩।୬: ଭାରତରେ ଟିକାର ଆବଶ୍ୟକତା ତଥା ଟିକାକରଣର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଭାରତ ସରକାର ହାଇଦ୍ରାବାଦ ସ୍ଥିତ ‘ବାୟୋଲୋଜିକାଲ-ଇ’ ର କୋଭିଡ୍ ଟିକା ୩୦ କୋଟି ଡୋଜ୍ ବୁକ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଟିକା ବର୍ତ୍ତମାନ କ୍ଲିନିକାଲ ଟ୍ରାଏଲରେ ଅଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ କମ୍ପାନୀକୁ ୧୫୦୦ କୋଟି ଟଙ୍କା ଅଗ୍ରୀମ ଦେୟ ପ୍ରଦାନ କରିବ । ଭାରତ ବାୟୋଟେକର କୋଭାକ୍ସିନ ପରେ ଏହା ଭାରତରେ ପ୍ରସ୍ତୁତ ହେଉଥିବା ଦ୍ବିତୀୟ ଟିକା ହେବ ।

ମନ୍ତ୍ରଣାଳୟ କହିଛି ଯେ, ବାୟୋଲୋଜିକାଲ-ଇ ମାଧ୍ୟମରେ ଅଗଷ୍ଟରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଟିକାର ପ୍ରସ୍ତୁତି ଏବଂ ଗଚ୍ଛିତ କରିଦିଆଯିବ । ମାର୍ଚ୍ଚ-ଅପ୍ରେଲ ମାସରେ ଯେତେବେଳେ ଭାରତ କୋଭିଡର ଦ୍ବିତୀୟ ଲହରର ମୁକାବିଲା କରୁଥିଲା ସେତେବେଳେ ଟିକାକରଣ ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ସରକାରଙ୍କୁ ଏହି କାରଣରୁ ଭାକ୍ସିନ ମୈତ୍ରି କାର୍ଯ୍ୟକ୍ରମ ଅଧିନରେ ଦେଶ ବାହାରକୁ ପଠାଯାଉଥିବା ଟିକାକୁ ବନ୍ଦ କରିବାକୁ ପଡିଥିଲା ।  କାରଣ ଭାରତରେ ଟିକାର ଅଭାବ ଦୂର କରାଯାଇପାରିବ ।

କେନ୍ଦ୍ର ସରକାର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ବାୟୋଲୋଜିକାଲ-ଇ ଟିକା ବର୍ତ୍ତମାନ ଫେଜ୍ ୩ କ୍ଲିନିକାଲ ଟ୍ରାଏଲ କରୁଛି । ଏହା ପୂର୍ବରୁ ଫେଜ୍ ୧ ଏବଂ ୨ରେ ଟିକାର ଭଲ ଫଳାଫଳ ଦେଖିବାକୁ ମିଳିଚି । ଆଗାମୀ କିଛି ମାସ ମଧ୍ୟରେ ଟିକା ଉପଲବ୍ଧ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.