ମିସ୍ 420ଙ୍କ ଠକେଇ ତାଲିକା ଲମ୍ବି ଲମ୍ବି ଯାଉଛି : ଥାନାକୁ ଆସିଲେ ଆଉ ୨ ଅଭିଯୋଗକାରୀ, କହିଲେ- ଆମେ ହରାଇଛୁ ୨୬ଲକ୍ଷ

Published By : Prameya-News7 Bureau | August 14, 2020 IST

ଅନୁଗୋଳ ୧୪।୮: ମିସ୍ 420ଙ୍କ ଚୁନା ମାରିବାର ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସୁଛି । ଜଣେ ଡାକ୍ତରଙ୍କଠାରୁ ୪ ଲକ୍ଷ ୫୭ ହଜାର ନୁହେଁ ବରଂ ଆହୁରି କିଛି ଲୋକଙ୍କଠାରୁ ଅନେକ ଟଙ୍କା ଠକିଥିବାର ଅଭିଯୋଗ ଆସିଛି । ସବୁ ଅଭିଯୋଗକୁ ହିସାବ କଲେ ଏହି ସୁନ୍ଦରୀ ତରୁଣୀ ବିଭିନ୍ନ ଲୋକଙ୍କଠାରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ଠକିନେଇଛନ୍ତି । ସଂପୃକ୍ତ ଯୁବତୀଙ୍କୁ ରିମାଣ୍ଡରେ ନେଇଛି କୋଲିୟାରୀ ପୋଲିସ, ହୁଏତ ଓଗାଳିପାରେ ସବୁ ସତ ।

ଧୀରେ ଧୀରେ ଗୁମର ଫିଟୁଛି । ମିସ୍ 420ର କଳା କାରନାମା ତାଲିକା ଲମ୍ବି ଲମ୍ବି ଯାଉଛି । ତାଳଚେର କୋଲିୟାରୀ ଥାନାରେ କିଛି ଲୋକ ତାଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି । ନାରାୟଣ ବେହେରାଙ୍କଠାରୁ ୨୫ ଲକ୍ଷ ଏବଂ ନିର୍ମଳ ବେହେରାଙ୍କଠାରୁ ୧ ଲକ୍ଷ ୫ ହଜାର ଟଙ୍କା ଠକି ନେଇଥିବା ସେମାନେ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତ୍ତିକରି କୋଲିୟାରୀ ପୋଲିସ ସଂପୃକ୍ତ ଯୁବତୀଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି । କାହା ପାଖରୁ କେତେଟଙ୍କା ଆଣିଛି, କିପରି ଆଣିଛି ସେ ସବୁର ଖୋଳତାଡ ଆରମ୍ଭ କରିଛି ପୋଲିସ । ସେ ସବୁଟଙ୍କା କେଉଁଠି ରଖିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ଖାଲି ସେତିକି ନୁହେଁ ଏ କେସରେ ତା ମା’ ମଧ୍ୟ ସାମିଲ ଅଛନ୍ତି ବୋଲି ଜଣାପଡିଛି। ସେ ମଧ୍ୟ ତଦନ୍ତର ପରିସୀମା ଭିତରକୁ ଆସୁଛନ୍ତି ବୋଲି ସରକାରୀ ଓକିଲ କହିଛନ୍ତି।

ଖାଲି ସେତିକି ନୁହେଁ ସଂପୃକ୍ତ ଯୁବତୀ ଏବଂ ତାଙ୍କ ମା’ ମିଶି ଅନେକ ଲୋକଙ୍କଠାରୁ ଆହୁରି ଅଧିକ ଟଙ୍କା ଲୁଟିଥିବା ଜଣାପଡ଼ିଛି । ଯେହେତୁ ସେମାନେ ନଗଦ ଟଙ୍କା ନେଇଛନ୍ତି ଅନେକଙ୍କ ପାଖରେ ପ୍ରମାଣ ନାହିଁ । ତେଣୁ ଖବର ଆଗକୁ ଆସୁନାହିଁ। ଆଗକୁ ଆବଶ୍ୟକ ହେଲେ ଆଉ କିଛିଦିନ ରିମାଣ୍ଡରେ ନେବ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.