ଭୁବନେଶ୍ବରରେ ଆଉ ଏକ ଫୁଟ୍ ଓଭରବ୍ରିଜ୍, ସହିଦ ନଗର ଓ ସତସଙ୍ଗ ବିହାର ମଧ୍ୟରେ ହେବ ନିର୍ମାଣ
19/01/2021 at 1:01 PM

ଭୁବନେଶ୍ବର ୧୯।୧: ଭୁବନେଶ୍ବରରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ଏହି ଫୁଟ୍ ଓଭରବ୍ରିଜ୍ ହେବ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ବର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଏନେଇ ଚିଠି ଆସିଛି ।
ଏହି ଫୁଟ୍ ଓଭରବ୍ରିଜ୍ ର ଲମ୍ବ ୧ କିଲୋମିଟର ୩ଶହ ମିଟର ହେବ । ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା ରହିଛି । ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି ।
ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଆସୁଥିଲା । ଏହାଦ୍ବାରା ଦୀର୍ଘ ଦିନର ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବା ନେଇ ଆଶା ରହିଛି । ପ୍ରକଳ୍ପକୁ ନେଇ ସବୁ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଅନ୍ୟପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏନଏଚଏଆଇକୁ ଧନ୍ୟବାଦ ଦେଇଛନ୍ତି । ୧ କୋଟି ୨୫ ଲକ୍ଷ ଟଙ୍କାରେ ସହିଦନଗରରୁ ସତସଙ୍ଗବିହାର ସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ନିକଟରେ ଏନଏଚଆଇ ତରଫରୁ ଏକ ଫୁଟ୍ ଓଭରବ୍ରିଜ୍ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏନଏଚଏଆଇ ତରଫରୁ ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ହଂସପାଳଠାରେ ୨୪କୋଟି ଟଙ୍କାର ଓଭରବ୍ରିଜ୍ କରିବାକୁ ସ୍ୱୀକୃତି ମିଳିଛି । ସେହିପରି ମଳିପଡା- ଖୋର୍ଦ୍ଧା ପାଖରେ ଏକ ଭେହିକିଲ୍ ଅଣ୍ଡରପାସ୍ ହେବା ନେଇ ମଧ୍ୟ ଦେଇଥିବା ପ୍ରସ୍ତାବକୁ ଏନଏଚଏଆଇ ସ୍ୱୀକୃତି ଦେଇଛନ୍ତି ।