କେବଳ ପୃଥିବୀପୃଷ୍ଠରେ ନୁହେଁ, ସମୁଦ୍ରଗର୍ଭରେ ମଧ୍ୟ ବ୍ୟାପିଛି ଆଉ ଏକ ମହାମାରୀ

Published By : Prameya-News7 Bureau | April 20, 2020 IST

ଓ୍ବାଶିଂଟନ୍ ୨୦।୪: ପୃଥିବୀପୃଷ୍ଠରେ କରୋନା ଭାଇରସ୍ ମହାମାରୀ ଦ୍ବାରା ମଣିଷ ବିଚଳିତ ଥିବାବେଳେ ସମୁଦ୍ର ତଳେ ମଧ୍ୟ ଏକ ମହାମାରୀ ବ୍ୟାପିଛି । ସମୁଦ୍ର ଏବଂ ଏହାର ପରିବେଶ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନଙ୍କ ଅନୁସାରେ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସମୁଦ୍ର ଭିତରେ ଏତେ ବଡ ମହାମାରୀ ଦେଖିବାକୁ ମିଳିଛି । ସମୁଦ୍ର ପ୍ରାଣୀମାନଙ୍କ ଅଧ୍ୟୟନ କରିଥିବା ଜଣେ ବୈଜ୍ଞାନିକ ଏହାକୁ ଇବୋଲା ସହିତ ତୁଳନା କରିଛନ୍ତି । ଏହି ରୋଗର ଶିକାର ହୋଇଥିବା ପ୍ରାଣୀକୁ ସମୁଦ୍ର ଭିତରର ଜୀବନଚକ୍ରର ଆଧାର ଭାବରେ ବିବେଚନା କରାଯାଏ । ଏହି ଜୀବର ନାମ ହେଉଛି କୋରାଲ୍ ରିଫ୍ । କୋରାଲ୍ ରିଫ୍ ଷ୍ଟୋନି କୋରାଲ୍ ଟିସ୍ୟୁ ଲସ୍ ଡିଜିଜ (SCTLD) ରୋଗରେ ପୀଡିତ ।

ଯୁକ୍ତରାଷ୍ଟ୍ରର ଭର୍ଜିନ ଦ୍ବୀପପୁଞ୍ଜର ସେଣ୍ଟ ଥୋମାସ୍ ଉପକୂଳରେ ଥିବା କୋରାଲ୍ ରିଫ୍ SCTLD ରୋଗରେ ଅଧିକ ସଂକ୍ରମିତ ହୁଏ । ଏହି ରୋଗ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି । ଏହା ଦ୍ବାରା ପ୍ରାୟ ୨୨ ପ୍ରଜାତିର କୋରାଲ୍ ରିଫ୍  ପ୍ରଭାବିତ ହୋଇଛନ୍ତି । ୫୦ ବର୍ଷ ପୂର୍ବରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ​​।

{"id":257231,"sizeSlug":"large"}

୧୯୭୦ ଦଶକରେ ହ୍ବାଇଟ୍ ବ୍ୟାଣ୍ଡ ରୋଗ ହେତୁ ସମୁଦ୍ର ଭିତରେ ଉପସ୍ଥିତ ଥିବା କୋରାଲ୍ ରିଫ୍ ର ଦୁଇ ପ୍ରଜାତି ବିଲୋପ ହୋଇଯାଇଥିଲା । କିନ୍ତୁ ଏଥର SCTLD ୨୨ ପ୍ରଜାତିର କୋରାଲ୍ ରିଫ୍ ସଂକ୍ରମିତ ହୋଇଛନ୍ତି । ଏହି ରୋଗକୁ ରୋକିବା ପାଇଁ ବୈଜ୍ଞାନିକମାନଙ୍କର କୌଣସି ଉପାୟ ନାହିଁ ।

୨୦୧୪ରେ ଭର୍ଜିନ ଦ୍ବୀପପୁଞ୍ଜର କିଛି କୋରାଲ୍ ରିଫରେ ଏହି ରୋଗ ଦେଖିବାକୁ ମିଳିଥିଲା । ସେହି ଦିନଠାରୁ ଏହି ରୋଗ ଆମେରିକାର ମିଆମିଠାରୁ ଫ୍ଲୋରିଡା ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ କୋରାଲ୍ ରିଫ୍ ଙ୍କୁ ସଂକ୍ରମିତ କରୁଛି । SCTLD ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି କୋରାଲ୍ ରିଫରେ ଧଳା ଦାଗ ଦେଖାଯାଏ । ଧୀରେ ଧୀରେ ଏହା କୋରାଲ୍ ରିଫ୍ ର ସମଗ୍ର ଶରୀରରେ ମାଡିଯାଇଥାଏ । ଏହାପରେ କୋରାଲ୍ ରିଫ୍ ର ରଙ୍ଗ ବଦଳିବା ଆରମ୍ଭ କରେ ଏବଂ ଏହାର ଜୀବନ ଶେଷ ହେବାକୁ ଲାଗେ ।

{"id":257233,"sizeSlug":"large"}

ଭର୍ଜିନ ଦ୍ବୀପପୁଞ୍ଜ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀ ମାରିଲିନ୍ ବ୍ରାଣ୍ଡ କହିଛନ୍ତି ଯେ, ଏହା ଇବୋଲା ପରି ବ୍ୟାପିଛି ଏବଂ ଏହାର କୌଣସି ଚିକିତ୍ସା ନାହିଁ । SCTLD ଏପର୍ଯ୍ୟନ୍ତ ୨୨ ପ୍ରଜାତିର କୋରାଲ୍ ରିଫ୍ ଙ୍କୁ ସଂକ୍ରମିତ କରିଛି । ଏହା ଏକ ପ୍ରକାର କୋରାଲ୍ ବ୍ଲିଚିଂ କିନ୍ତୁ ସାଧାରଣ କୋରାଲ୍ ବ୍ଲିଚିଂ ଅପେକ୍ଷା ଅଧିକ ବିପଜ୍ଜନକ ।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ ରିପୋର୍ଟ ୨୦୧୯ ଅନୁଯାୟୀ, ପ୍ରତିବର୍ଷ ବନ୍ୟା ଏବଂ ସୁନାମିରୁ କୋରାଲ୍ ରିଫ୍ ଆମେରିକାକୁ ସୁରକ୍ଷା ଦେଇଥାଏ । ଏହି କୋରାଲ୍ ରିଫ୍ ପ୍ରତିବର୍ଷ ୧.୮ ବିଲିୟନ ଡଲାର ବା ପ୍ରାୟ ୧୩୭୯୪ କୋଟି ଟଙ୍କା ସଞ୍ଚୟ କରେ । ଏହି କାରଣରୁ, ପ୍ରତିବର୍ଷ ଆମେରିକାର ପ୍ରାୟ ୧୮ ହଜାର ଲୋକ ବନ୍ୟା ଏବଂ ସୁନାମି ଭଳି ବିପର୍ଯ୍ୟୟରେ ମୃତ୍ୟୁରୁ ରକ୍ଷା ପାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.