ଆନ୍ଦୋଳନରତ ଆଉ ଜଣେ ଚାଷୀଙ୍କ ନିମୋନିଆରେ ମୃତ୍ୟୁ, ମାସେ ହେଲା ଟିକ୍‌ରି ସୀମାରେ କରୁଥିଲେ ବିକ୍ଷୋଭ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦/୧୨: ଦିଲ୍ଲୀର ଟିକ୍‌ରି ବର୍ଡରରେ ମାସେ ହେଲା ଆନ୍ଦୋଳନରେ ସାମିଲ ହୋଇଥିବା ଆଉ ଜଣେ ଚାଷୀଙ୍କ ଦେହାନ୍ତ ହୋଇଛି। ପଞ୍ଜାବର ଧରମପୁରା ଗାଁର ୭୦ ବର୍ଷୀୟ ପିଆରା ସିଂହଙ୍କ ନିମୋନିଆରେ ମୃତ୍ୟୁ ହୋଇଛି। ପିଆରା ସିଂହ ଜଣେ ନାମମାତ୍ର ଚାଷୀ। ନୂଆ କୃଷି ନିୟମ ବିରୋଧରେ ଅନ୍ୟ ହଜାର ହଜାର ଚାଷୀଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ପିଆରା ସିଂହ।

ଆାନ୍ଦୋଳନରେ ସାମିଲ ହେବାର ୪ ସପ୍ତାହ ପରେ ପିଆରା ଅସୁସ୍ଥ ହୋଇପଡ଼ିଥିଲେ। ଟ୍ରେନ୍‌ ଯୋଗେ ନିଜ ଜିଲ୍ଲା ମାନସାକୁ ଫେରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ପିଆରାଙ୍କ ମୃତ୍ୟୁ ହୋଇଛି। ପିଆରାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବଡ଼ ଭାଇ ଓ୍ବାସବା ସିଂହ ସୂଚନା ଦେଇଛନ୍ତି। ସିଂହ ଭାରତୀୟ କିଷାନ ସଂଗଠନରେ ଜଣେ ସଦସ୍ୟ ବୋଲି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଚାଷୀ ଆନ୍ଦୋଳନର ପ୍ରଥମ ଦିନରୁ ହିଁ ପିଆରା ନୂଆ କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ କରିଆସୁଥିଲେ। ନଭେମ୍ବର ୨୬ରେ ଟ୍ରାକ୍ଟର ସହ ଦିଲ୍ଲୀ ଚାଲୋ ରାଲିରେ ମଧ୍ୟ ସାମିଲ ହୋଇଥିଲେ।

ପରେ ଗାଁକୁ ଯାଇ ଫେରିବା ପରେ ଡିସେମ୍ବର ୧୫ରେ ସାମୟୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ଟିକ୍‌ରି ବର୍ଡରରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ ପିଆରା। ଏବେ ବି ତାଙ୍କ ଟ୍ରାକ୍ଟର ଟ୍ରଲି ଟିକ୍‌ରି ବର୍ଡରରେ ଛିଡ଼ା ହୋଇଛି। ତାଙ୍କର ମୃତ୍ୟୁ ପରେ ବିକେୟୁ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଓ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଦାବି କରାଯାଛି। ମିଳିଥିବା ସୂଚନା ଅନୁସାରେ ୫ ବର୍ଷ ପୂର୍ବରୁ ପିଆରାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ପିଆରଙ୍କ ୪ ପୁଅ ଥିବା ବେଳେ ତାଙ୍କ ପାଖରେ ସାଢ଼େ ୫ଏକର ଜମି ଅଛି।

ସୂଚନା ଅନୁସାରେ ଚାଷୀ ଆନ୍ଦୋଳନ ଆରମ୍ଭ ହେବା ପାଖରୁ ପାଖାପାଖି ୫୦ କୃଷକଙ୍‌ଖ ଜୀବନ ଗଲାଣି। ଏହା ସହ ୨ ଜଣ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.