ଆନ୍ଧ୍ର ମୁହାଁ ସାମୁଦ୍ରିକ ଝଡ ; ୧୬ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦କିମି ରହିବ

Published By : Prameya-News7 Bureau | December 14, 2018 IST

ଭୁବନେଶ୍ବର ୧୪|୧୨:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି । ଏହା ଏବେ ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଗତକାଲି ରାତି ୧୦ଟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୧୦୮୦ କିମି ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟନମରୁ ୧୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ । ଆସନ୍ତା ୧୫ ଏବଂ ୧୬ତାରିଖରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। 

{"id":63370}

ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପାଖାପାଖି ରହିବ ଏବଂ ପ୍ରବଳ ବର୍ଷା ମଧ୍ୟ ହେବ । ଏହାର ପ୍ରଭାବରେ ୧୫ ତାରିଖଠାରୁ ଆନ୍ଧ୍ରପ୍ରଦେଶ ଓ ତା‌ମିଲନାଡ଼ୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ, ତା‌ମିଲନାଡ଼ୁ ସମେତ ଓଡ଼ିଶା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରିରେ ବି ବାତ୍ୟାର ପ୍ରଭାବ ପଡ଼ିପାରେ।  ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟକୁ ନେଇ ରାଜ୍ୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ୧୬ ଏବଂ ୧୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଏହା ପୂର୍ବରୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

{"id":63371}

ଓୟୁଏଟି ପକ୍ଷରୁ ଜାରି କରାଯାଇଥିବା ପରାମର୍ଶ ଅନୁଯାୟୀ ଚାଷୀମାନେ କଟା ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ। କଟା ଯାଇ ଜମିରେ ଶୁଖାଯାଇଥିବା ଧାନ କଳେଇ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ।  ଶୁଖିଯାଇଥିବା ଧାନକୁ ବେଙ୍ଗଳା କରି ଅମଳ କରିନିଅନ୍ତୁ। ଖଳାରେ ପଡ଼ିଥିବା ଧାନକୁ ପାଲ ଘୋଡ଼ାଇ ଦିଅନ୍ତୁ । ସେହିପରି ତଳି ପଡ଼ିଯାଇଥିବା ଧାନ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ। ବର୍ଷା ପୂର୍ବରୁ ତଳି ପକାନ୍ତୁ ନାହିଁ। ବୁଣାଯାଇଥିବା ମୁଗ, ବିରି, ବୁଟ, ମଟର କୋଳଥ ଆଦି ଡାଲି ଜାତୀୟ ଫସଲରୁ ପାଣି ନିଷ୍କାସନ ପାଇଁବ୍ୟବସ୍ଥା କରନ୍ତୁ। ସେହିପରି ପନିପରିବା ଜମିରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ। ରଞ୍ଜାରେ ମାଡ଼ିଥିବା ଲଟା ଜାତୀୟ ପନିପରିବାକୁ ବାନ୍ଧି ନିଅନ୍ତୁ।  ବର୍ଷା ପରେ ପୋକ ଲାଗିବାର ଆଶଙ୍କା ଥିବାରୁ  ଏହାର ନିରାକରଣ ପାଇଁ ସତର୍କ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.