ଓଡିଶାରେ 'କରୋନା' ଭୟ : ଏସ୍‌ସିବିରେ ଆଉ ଜଣେ ସନ୍ଦିଗ୍ଧ ଭର୍ତ୍ତି, ପରୀକ୍ଷା ପାଇଁ ପଠାଗଲା ରକ୍ତ ନମୁନା

Published By : Prameya-News7 Bureau | February 05, 2020 IST

କଟକ ୫।୨: ଓଡ଼ିଶାରେ କରୋନା ଭୟ, ଏସସିବିରେ ଆଉ ଜଣେ ସନ୍ଦିଗ୍ଧ । ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭୂତାଣୁ । କଟକ ବଡ ଡାକ୍ତରଖାନାର ସ୍ବତନ୍ତ୍ର ୱାର୍ଡରେ କରୋନା ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ଆଉ ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜଗତସିଂହପୁର ଅଞ୍ଚଳର ୩୫ ବର୍ଷୀୟ ଏହି ଯୁବ ଇଂଜିନିୟର ହଂକଂରେ ଚାକିରି କରନ୍ତି । ସେ ସେଠାରୁ କୌଣସି କାର୍ଯ୍ୟରେ ଚୀନ୍ ଯାଇଥିଲେ । ଜାନୁଆରୀ ୨୫ ତାରିଖରେ ସେ ଚୀନରୁ ଫେରିଥିଲେ । ଚୀନରୁ ବେଙ୍ଗାଲୁରୁ ଆସିବା ପରେ ସେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ବେଙ୍ଗାଲୁରୁରୁ ସେ ବିମାନରେ ଭୁବନେଶ୍ବର ଆସିବା ପରେ କରୋନା ଭାଇରସ୍ ଆକ୍ରାନ୍ତର ସନ୍ଦେହ ହେବାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କର ରକ୍ତ ଓ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। 

ଓଡିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ୨୫ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ କଟକ ସ୍ଥିତ ଏସସିବିର ଆଇସୋଲେସନ୍  ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ୨୨ଜଣଙ୍କୁ ଘରୋଇ ଆଇସୋଲେସନରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ରାଜ୍ୟରୁ ଏପର୍ଯ୍ୟନ୍ତ ୬ଟି ନମୁନା ପରୀକ୍ଷା ପାଇଁ ଏନଆଇଭି ପୁନେକୁ ପଠାଯାଇଥିବା ବେଳେ ସେଥିରୁ ୫ ନମୁନା ନେଗେଟିଭ୍ ରହିଛି । ଗୋଟିଏ ନମୁନା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ ।  ଅନ୍ୟପକ୍ଷରେ, ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ର  ଏବେ ବିପଦମୁକ୍ତ। ପୁନେରୁ ରକ୍ତ ନମୁନା ରିପୋର୍ଟ ପହଞ୍ଚି ସାରିଥିବାବେଳେ ରିପୋର୍ଟ ନେଗେଟିଭ୍ ଥିବା ନେଇ କଟକ ଏସସିବି କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେପଟେ ଚୀନରେ କାୟା ମେଲାଉଛି କରୋନା ଭାଇରସ୍ । ମହାମାରୀ ରୂପ ନେଇସାରିଲାଣି କରୋନା । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଚୀନରେ ଏପର୍ଯ୍ୟନ୍ତ ମୃତ୍ୟ ସଂଖ୍ୟା ବଢ଼ି ୪୯୨ରେ ପହଞ୍ଚିଲାଣି । ଚୀନର ମିଡିଆ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୨୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.