ଖାଇଲା ବେଳେ ବାନ୍ତି କରିଥିଲେ ଝରାଫୁଲ, ମୃତ୍ୟୁ ଘଟଣାରେ ଆସିବ କି ଟ୍ବିଷ୍ଟ୍ ? ନୂଆ CCTV ଫୁଟେଜ୍‌ରୁ ମୋଡି ହେଲାଣି ମାମଲା !

Published By : Prameya-News7 Bureau | January 30, 2021 IST

ଭୁବନେଶ୍ବର ୩୦।୧: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟଘେରକୁ ଟାଣି ହୋଇଯାଉଛି । ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ବାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ଘଟଣାର ଗୋଟିଏ ପରେ ଗୋଟିଏ ଖିଅ ସାମ୍ନାକୁ ଆସିବାରେ ଲାଗିଛି । ଏହି ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନ୍ୟୁଜ୍ ସେଭେନ୍ ହାତରେ ଲାଗିଛି ଆଉ ଏକ ସିସିଟିଭି ଫୁଟେଜ୍ । ଦିନକୁ ଦିନକୁ କିଛି କିଛି ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ମଧ୍ୟ ଘଟଣା ଏବେ ଅଧିକ ରହସ୍ୟଘେରରେ ରହିଛି । ପୋଲିସ ଏପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟର ପର୍ଦ୍ଦାଫାଶ କରିନାହିଁ ।

ତେବେ ସାମ୍ନାକୁ ଆସିଥିବା ଏହି ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଝରାଫୁଲ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଝରାଫୁଲଙ୍କୁ ଗାଡିରେ ବସାଇ ରାକେଶ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ତାପରେ ଝରାଫୁଲ ମଧ୍ୟ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ସେଠାରେ ସେମାନ ଖାଇବା ଅର୍ଡର କରିଥିଲେ । ଉଭୟ ଖାଇବାକୁ ବସିଥିଲେ । ଖାଇବା ଅଧାରୁ ଝରାଫୁଲ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରେ ସେ ବାନ୍ତି ମଧ୍ୟ କରିଥିଲେ । ଫଳରେ ଅଧା ଖାଇବାରୁ ଉଠି ଆସିଥିଲେ ଉଭୟ ଝରାଫୁଲ ଓ ରାକେଶ । ରେଷ୍ଟୁରାଣ୍ଟରୁ ଉଭୟ ବାହାରି କେଉଁଆଡେ ଗାଡି ନେଇ ଚାଲିଯାଇଥିଲେ । ତେବେ ସେଠାରୁ ସେମାନେ ଘରୋଇ ଗେଷ୍ଟହାଉସ୍‌ କୁ ଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ ମୃତ୍ୟୁର ପୂର୍ବ ରାତିରେ ରାକେଶଙ୍କ ସହ ଝରାଫୁଲ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଥିଲେ । ଏହା ପରଦିନ ରାକେଶ ନିଜର ଜଣେ ବନ୍ଧୁଙ୍କ ସହ ଏକ ସ୍କୁଟର ଯୋଗେ ଝରାଫୁଲଙ୍କୁ ଉକ୍ତ ଗେଷ୍ଟ ହାଉସରୁ ବାହାରକୁ ନେଇଥିଲେ । ଗେଷ୍ଟ ହାଉସ ନିକଟରେ ଥିବା ଅନ୍ୟ ଏକ ସିସିଟିଭିରେ ଏହି ଚିତ୍ର କଏଦ ହୋଇଥିଲା ।

ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ରାକେଶ ସ୍ବାଇଁ ଓ ଝରାଫୁଲ ରେଷ୍ଟୁରାଣ୍ଡରେ ଏମିତି କଣ ଖାଇଥିଲେ ଯେ ତାଙ୍କର ବାନ୍ତି ହୋଇଥିଲା । ଗେଷ୍ଟ ହାଉସ୍‌ରେ କଣ ହେଲା ଯେ ତାଙ୍କ ଦେହ ଖରାପ ହୋଇଗଲା ଆଉ ପାଟିରୁ ଫେଣ ବାହାରିଥିଲା ?  ଏସବୁ ଏବେବି ରହସ୍ୟ ଘେରରେ । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.