ଓଡିଶାରେ ଆଉ ଏକ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ : ମୃତ୍ୟୁ ପୂର୍ବରୁ ଦୁଇ ଜଣଙ୍କୁ ଜୀବନ ଦେଇଗଲେ ସୁଚିତ୍ରା

Published By : Prameya-News7 Bureau | February 27, 2020 IST

ଭୁବନେଶ୍ବର ୨।୨:  ଓଡ଼ିଶାରେ ଆଗକୁ ବଢ଼ୁଛି ଅଙ୍ଗଦାନ ଅଭିଯାନ । ଚଳିତ ମାସରେ ଦ୍ବିତୀୟ ଥର ଲାଗି ଆଜି ଆଉ ଏକ କାଡାଭରିକ୍ ପ୍ରତିରୋପଣ ସଫଳ ହୋଇଛି । ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଥିବା ସୁଚିତ୍ରା ଦାଶ ନାମକ ଜଣେ ମହିଳାଙ୍କର ଦୁଇଟି କିଡନୀ କଢ଼ାଯାଇ ଆପୋଲୋ ଓ ଆମ୍ରି ହସ୍ପିଟାଲରେ ଥିବା ଦୁଇଜଣ ରୋଗୀଙ୍କ ଶରୀରରେ ଲଗାଯାଇଛି । ଆପୋଲୋରେ ଏହା ହେଉଛି ଦ୍ବିତୀୟ କାଡାଭରିକ୍ ପ୍ରତିରୋପଣ ।

ଗତ ୨୩ ତାରିଖରେ ବ୍ରେନ୍ ଷ୍ଟ୍ରୋକ୍ କାରଣରୁ ଭୁବନେଶ୍ବର ପୋଖରୀପୁଟର ସୁଚିତ୍ରା ଦାଶଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯିବା ପରେ ପରିବାର ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା । ତାଙ୍କ ସ୍ବାମୀ ଗୋପାଳ ଦାଶଙ୍କୁ ହସ୍ପିଟାଲ ପକ୍ଷରୁ କାଉନସେଲିଂ କରାଯିବା ପରେ ସେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ । ପରେ ହସ୍ପିଟାଲ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏ ସଂକ୍ରାନ୍ତରେ ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତିରୋପଣ ସଂଗଠନ ବା ସୋଟୋକୁ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ସୋଟୋ ପକ୍ଷରୁ କେଉଁ ଦୁଇଜଣ ବ୍ୟକ୍ତିଙ୍କୁ ସୁଚିତ୍ରାଙ୍କ କିଡନୀ ପ୍ରଦାନ କରାଯିବ, ତାହା ସ୍ଥିର ହୋଇଥିଲା । ପ୍ରାୟ ସଂଧ୍ୟା ୭ଟା ସମୟରେ ପରୀକ୍ଷା ପରେ କିଡ୍ନି କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇଟି କିଡନୀ କଢ଼ାଯାଇଥିଲା । ଦୁଇଟି କିଡନୀରୁ ଗୋଟିଏ କିଡନୀ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଜଗନ୍ନାଥ ସୁରଙ୍କ ଶରୀରରେ ରାତି ପ୍ରାୟ ୧୨ଟାରେ ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟଟି ତୁରନ୍ତ ଆମ୍ରି ହସ୍ପିଟାଲ ପଠାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ମିନତୀ ସାମନ୍ତରାୟଙ୍କ ଶରୀରରେ ଏହା ପ୍ରତିରୋପଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.