କରୋନା ପାଇଁ ଆଉ ଏକ ଅସ୍ତ୍ର, ପ୍ରଥମ କୋଭିଡ୍ ବଟିକାକୁ ମିଳିଲା ଅନୁମତି

Published By : Prameya-News7 Bureau | November 04, 2021 IST

ନୂଆଦିଲ୍ଲୀ ୦୪।୧୧: କରୋନା ପାଇଁ ମିଳିଗଲା ଆଉ ଏକ ଅସ୍ତ୍ର। ପ୍ରଥମ କୋଭିଡ୍ ବଟିକାକୁ ମିଳିଲା ଅନୁମତି। ମର୍କ କମ୍ପାନୀ ଦ୍ଵାରା ପ୍ରସ୍ତୁତ ବଟିକାକୁ ବ୍ରିଟେନ ସରକାର ଜରୁରୀକାଳୀନ ମଞ୍ଜୁରୀ ଦେଇଛନ୍ତି।  ବ୍ରିଟେନ୍ ପ୍ରଥମ ଦେଶ  ଭାବେ ଏହି ବଟିକାକୁ କୋଭିଡର ଉପଚାର ବୋଲି ମନେ କରିଛି। ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହି କରୋନା ନିରୋଧୀ ବଟିକ କେବେ ଉପଲବ୍ଧ ହେବ। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ଵ ବୟସର କରୋନ ସଂକ୍ରମିତ ଲୋକଙ୍କୁ ଏହି ବଟିକା ଖାଇବାକୁ ମଞ୍ଜୁରୀ ଦିଆଯାଇଛି। ଏହି ବଟିକାର ନାମ ମୋଲନୁପିରାଭିର ରହିଛି।

କୋଭିଡ୍‌ର ହାଲୁକା ସଂକ୍ରମଣ ଦେଖା ଦେଲେ ଲୋକଙ୍କୁ ଏହି ବଟିକା ଦିନକୁ ଦୁଇ ଥର ଖାଇବାକୁ ପଡିବ। ଏହି ଆଣ୍ଟି  ଭାଇରାଲ୍ ବଟିକା କରୋନା ଲକ୍ଷଣକୁ କମ କରି ବ୍ୟକ୍ତିଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରେ। ହସ୍ପିଟାଲର ବୋଝ କମ କରିବା ତଥା ଗରିବ ଦେଶଗୁଡିକରେ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ବେଶ୍ ସହାୟକ ହୋଇପାରେ। ଏହି ବଟିକା ମହାମାରୀ ଲଢେଇ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇପାରେ।

ଆମେରିକା, ୟୁରୋପ ଓ କିଛି ଅନ୍ୟ ଦେଶରେ ସମ୍ଵନ୍ଧିତ ନିୟାମକ ଏହି ବଟିକାର ସମୀକ୍ଷା  କରୁଛନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧୀୟ ନିୟାମକ ଗତ ମାସରେ କହିଥିଲେ ଯେ, ଏହି ବଟିକା ଶରୀର ପାଇଁ କେତେ ସୁରକ୍ଷିତ ଏବଂ କେତେ ପ୍ରଭାବଶାଳୀ ଏହା ଜାଣିବା ପାଇଁ ନଭେମ୍ବର ଶେଷ ସପ୍ତାହରେ ଏକ ପ୍ୟାନେଲ୍ ବୈଠକ ଡକାଇବ।

ଅକ୍ଟୋବରରେ ବ୍ରିଟିଶ ଅଧିକାରୀ ଘୋଷଣା କରିଥିଲେ ଯେ, ମୋଲନୁପିରାଭିରର ୪,୪୮,୦୦୦ ବଟିକା ଉତ୍ପାଦନ ହୋଇ ସାରିଛି। ଶୀତ ଋତୁରେ ହଜାର ହଜାର ଲୋକଙ୍କ ଚିକିତ୍ସାରେ ଏହି ବଟିକା  ବେଶ ସହାୟକ ହେବ। ବ୍ରିଟେନ୍‌ର ସ୍ଵାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାଭିଦ କହିଛନ୍ତି, ଏହା ଆମ ଦେଶ ପାଇଁ ଏକ ଐତିହାସିକ ଦିନ। କାରଣ  ବ୍ରିଟେନ୍‌ ଦୁନିଆର ପ୍ରଥମ ଦେଶ ଯିଏ ଏମିତି ଆଣ୍ଟି  ଭାଇରସ୍ ବଟିକାକୁ ମଞ୍ଜୁରୀ ଦେଇଛି। ଏହାକୁ ଘରେ କୋଭିଡ୍ ଉପଚାର ପାଇଁ ବ୍ୟବହାର କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.