ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ : ସାଇବାବାଙ୍କ ଆସ୍ଥାନ ଆଗରେ ହଂସୁଆ ବାବାଙ୍କ ଆସ୍ଥାନ, ଗଳାରୁ ପାଦ ଯାଏଁ ଲମ୍ବିଛି ତୁଳସୀମାଳ
8/09/2020 at 11:07 AM

ଭୁବନେଶ୍ୱର ୦୮।୦୯: ନ୍ୟୁଜ୍ 7ରେ ଭଣ୍ଡ ସାରଥିର ଭାଣ୍ଡାଫୋଡ଼ ହେବା ପରେ ରାଜ୍ୟରେ ସାମ୍ରାଜ୍ୟ ବିସ୍ତାର କରିଥିବା ଆଉ କିଛି ବାବାଙ୍କ ଦୋକାନ ବନ୍ଦ ହୋଇଯାଇଛି । ଯେଉଁମାନେ ସାଧାରଣ ଲୋକଙ୍କ ଭାବାବେଗ ସହ ଖେଳୁଥିଲେ, ଯେଉଁମାନେ ଚଞ୍ଚକତା କରି ସେମାନଙ୍କ ପ୍ରଭାବ ବିସ୍ତାର କରିବାରେ ମାତିଥିଲେ, ସେମାନଙ୍କୁ ଆଇନର କାଠଗଡ଼ାକୁ ଟାଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ନ୍ୟୁଜ୍ 7 । ତେବେ ଦୀର୍ଘ ଦିନର ବ୍ୟବଧାନ ଆଉ ଜଣେ ବାବାଙ୍କ ଆବିର୍ଭାବ ହୋଇଛି । ଯାହାଙ୍କ ନାଁରେ କିଛି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।
ଆଜି ଆମେ ଆପଣଙ୍କୁ ଏହି ବାବାଙ୍କ ବିରୋଧରେ କିଛି ଅଭିଯୋଗ ସାମ୍ନାକୁ ଆସିଛି । ଏ ବାବା ଜଣକ ସବୁ ସମୟରେ ଗଳାରେ ତୁଳସୀମାଳ ପିନ୍ଧିଥିବାର ଦେଖିବାକୁ ମିଳେ । ଏମିତିକି ସିଂହାସନରେ ବସିଥିବା ବେଳେ ଗଳାରୁ ଲମ୍ବିଥିବା ତୁଳସୀମାଳ ବାବାଙ୍କ ପାଦକୁ ବି ଛୁଇଁଥାଏ ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗାଁରେ ରହିଛି ସିରିଡ଼ି ସାଇଙ୍କ ଏକ ମନ୍ଦିର । ୧୫-୨୦ବର୍ଷ ହେବ ଏହି ମନ୍ଦିରରେ ଶ୍ରଦ୍ଧାଳୁମାନେ ସାଇବାବାଙ୍କ ପୂଜାର୍ଚ୍ଚନା କରିଆସୁଥିଲେ । ସାଇଙ୍କ ପାଖରେ ଶ୍ରଦ୍ଧା ରଖୁଥିବା ଶ୍ରଦ୍ଧାଳୁ ଦୂର ଦୂରାନ୍ତରୁ ସିରିଡ଼ି ସାଇଙ୍କ ଆଳତୀ ଦର୍ଶନ ପାଇଁ ଏହି ମନ୍ଦିରରେ ପହଞ୍ଚୁଥିଲେ । ଏବେ କରୋନା କଟକଣା ପାଇଁ କିଛି ଦିନ ହେଲା ଯେତେବେଳେ ସାଇଙ୍କ ମନ୍ଦିରଙ୍କୁ ଶ୍ରଦ୍ଧାଳୁମାନେ ଆସୁନଥିଲେ । କେବଳ ମନ୍ଦିର ପୂଜାରିଙ୍କ ଦ୍ବାରା ସାଇବାବାଙ୍କ ଦୈନନ୍ଦିନ ପୂଜାକାର୍ଯ୍ୟ କରାଯାଉଥିଲା ।
ଏହାର ସୁଯୋଗ ନେଇ ଏବେ ଜଣେ ବାବା ସେଇ ମନ୍ଦିରରେ ନିଜର ଆସ୍ଥାନ ଜମାଇଦେଇଛନ୍ତି । ଶିରିଡ଼ି ସାଇବାବାଙ୍କ ପୂଜାର୍ଚ୍ଚନା ବନ୍ଦ କରି ତାଙ୍କରି ସାମ୍ନାରେ ସିଂହାସନରେ ବସି କିଛି ଅନୁଗତଙ୍କ ଦ୍ବାରା ନିଜେ ପୂଜା କରାଉଛନ୍ତି । ଏହି ବାବା ଜଣକ ଗଳାରୁ ପାଦ ପର୍ଯ୍ୟନ୍ତ ତୁଳସୀମାଳ ପିନ୍ଧିଥିବା ଦେଖିବାକୁ ମିଳୁଛି । ଆଉ କିଛି ମହିଳା ବାବାଙ୍କୁ ଆଳତୀ କରିବା ସହ ତାଙ୍କର ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ସାମ୍ନାରେ ଆସ୍ଥାନ ଜମାଇ ବସିଥିବା ଜଣେ ମଣିଷରୂପୀ ବାବାଙ୍କୁ ।
କିଛି ଲୋକ ଭଜନ କିର୍ତ୍ତନ କରୁଛନ୍ତି, ବାବାଙ୍କ ପାଖରେ ଆଲଟ ଚାମର ସେବା ଚାଲିଛି । କିଛି ମହିଳା ତାଙ୍କର ଆଳତୀ କରୁଛନ୍ତି । ତେବେ ଚର୍ଚ୍ଚାକୁ ଆସିଥିବା ଏହି ବାବାଙ୍କ ଅସଲ ଠିକଣା କ’ଣ ଆମେ ଖୋଜିବାକୁ ଚେଷ୍ଟା କରିଥିଲୁ । ଏହି ବାବାଙ୍କୁ କୁଆଡ଼େ ସମସ୍ତେ ହଂସୁଆ ବାବା ବୋଲି କହୁଛନ୍ତି । ହଂସୁଆ ବାବା ଓରଫ୍ ନିକୁଞ୍ଜ ବାବା ନାଁରେ ପରିଚିତ ଏହି ବାବାଙ୍କ ଠିକଣା ହେଉଛି ଖୋର୍ଦ୍ଧା ବାଘମାରୀ । ବାଘମାରୀରେ ବାବାଙ୍କ ଆଶ୍ରମ ରହିଛି । ସେଠାରେ ମଧ୍ୟ ସେମିତି ଗଳାରେ ତୁଳସୀମାଳ ପକାଇଥିବାର ଦେଖିବାକୁ ମିଳିଥିଲା ।