ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ଆଉ ଏକ ସଫଳତା, ଜୋ ରୁଟ୍‌ଙ୍କୁ ପଛରେ ପକାଇ ଜିତିଲେ ଆଇସିସି 'ପ୍ଲେୟାର ଅଫ୍ ଦ ମନ୍ଥ' ଆଓ୍ଵାର୍ଡ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯।୦୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଫେବୃଆରୀ ମାସ ପାଇଁ  'ପ୍ଲେୟାର ଅଫ୍‌ ଦ ମନ୍ଥ' ଘୋଷିତ କରିଛି। ଭାରତର ଏହି ଅନୁଭବୀ ସ୍ପିନର ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଏହି ଆଓ୍ଵାର୍ଡ ଜିତିଛନ୍ତି। ଅଶ୍ଵିନ ଇଂଲଣ୍ଡ ବିପକ୍ଷରେ ନିଜର ଘରୋଇ ପଡିଆ ଚେନ୍ନାଇରେ ଖେଳାଯାଇଥିବା ଦ୍ଵିତୀୟ  ଟେଷ୍ଟରେ ୯ ଓ୍ଵିକେଟ୍ ହାସଲ କରିଥିଲେ।

ଅଶ୍ଵିନ ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍‌ରେ ମୋଟ୍ ୩୨ଟି ଓ୍ଵିକେଟ୍ ନେଇଥିଲେ। ଏହା ବ୍ୟତୀତ ସିରିଜ୍‌ରେ ଶତକ ମଧ୍ୟ ଅର୍ଜନ କରିଥିଲେ। ତାଙ୍କର ଏହି ସ୍ମରଣୀୟ ପ୍ରଦର୍ଶନ ପାଇଁ ଅଶ୍ଵିନ ମ୍ୟାନ୍‌ ଅଫ୍ ଦ ସିରିଜ୍‌ ବିବେଚିତ ହୋଇଥିଲେ।

wp:html /wp:html

ଆଇସିସି ନିଜର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ପ୍ଲେୟାର ଅଫ୍‌ ଦ ମନ୍ଥ ପୁରସ୍କାର ଘୋଷଣା କରିଛି। ଅଶ୍ଵିନଙ୍କ ପୂର୍ବରୁ ଜାନୁଆରୀ ମାସ ପାଇଁ ଏହି ପୁରସ୍କାର ଭାରତୀୟ ଓ୍ଵିକେଟ୍ କିପର  ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ମିଳିଥିଲା। ଏହି ପରି କ୍ରମାଗତ ଦ୍ଵିତୀୟ ଥର ଭାରତୀୟ ଖେଳାଳି ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି।

ଫେବୃଆରୀ ମାସ ପାଇଁ ପ୍ଲେୟାର ଅଫ୍‌ ଦ ମନ୍ଥ ପାଇଁ ମନୋନୀତ ହୋଇଥିବା ଜୋ ରୁଟ୍‌ ଗତ ମାସରେ ମଧ୍ୟ ଏହି ପୁରସ୍କାର ପାଇଁ ନୋମିନେସନ ହୋଇଥିଲେ। ହେଲେ ପ୍ରଥମ ଥର ଋଷଭ ପନ୍ତ ତାଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଥିଲେ।

ସୂଚନାଯୋଗ୍ୟ, ଫେବୃଆରୀ ମାସରେ ଦମଦାର ପ୍ରଦର୍ଶନ କରିଥିବା ଓ୍ଵେଷ୍ଟଇଣ୍ଡିଜର ଯୁବ ବ୍ୟାଟସମ୍ୟାନ କାଇଲ ମେୟର୍ସ, ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଓ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଆଇସିସି ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.