Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକରୁ ଆଉ ୭ କରୋନା ସଂକ୍ରମିତ ଚିହ୍ନଟ : ସିଏମ୍‌ସିର ନୂଆ ଗାଇଡ୍‌ଲାଇନ୍, ୮ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର

1/07/2020 at 2:29 PM

କଟକ ୧।୭: ସରକାର ଅନଲକ୍-୨ରେ କରୋନା କଟକଣାକୁ କୋହଳ କରିଛନ୍ତି । କିନ୍ତୁ ସ୍ଥାନୀୟ ସଂକ୍ରମଣକୁ ନଜରରେ ରଖି କଟକରେ କଟକଣା ଏତେଟା କୋହଳ ହେବ ନାହିଁ । ସାମାଜିକ ଦୂରତାକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ କଟକରେ କୋଭିଡ୍ ପରିଚାଳନା ପାଇଁ କୋଭିଡ୍ କମ୍ପ୍ଲିଆନ୍ସ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ରାତିରେ ଏଣିକି ୭ଟା ପରିବର୍ତ୍ତେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ସିଏମସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଅନଲକ୍-୨ରେ କୋହଳ ହେଲା କରୋନା କଟକଣା । ମାତ୍ର କଟକରେ ସ୍ଥାନୀୟ ସଂକ୍ରମଣ ବଢିଛି । କଟକ ସହରରୁ ଆଉ ୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ଜଣ କ୍ୟାନସର ହସ୍ପିଟାଲର ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରେ ଚିହ୍ନଟ ହୋଇଛନ୍ତି । ନୂଆପାଟଣାର ୨ ଜଣ, ମଙ୍ଗଳାବାଗର ଜଣେ, କାଠଗଡା ସାହି ଓ ଥୋରିଆ ସାହିର ଜଣେ ଲେଖାଏଁ ରହିଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ମହିଳା ହେଉଛନ୍ତି ମହାନଦୀବିହାରର । ମହିଳା ଜଣଙ୍କ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ କଟକରେ କଟକଣା ଏତେଟା କୋହଳ ହେବନାହିଁ । ୭ଟା ପରିବର୍ତ୍ତେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ।

ସେପଟେ କଟକରେ କରୋନା ପରିଚାଳନା ପାଇଁ ଜଣେ କୋଭିଡ୍ କମ୍ପ୍ଲିଆନ୍ସ ଅଫିସର ନିଯୁକ୍ତ ହୋଇଛନ୍ତି । ଅନଲକ୍-୨ରେ ସାମାଜିକ ଦୂରତା ନିୟମ ଯେପରି କଡାକଡି ଲାଗୁ ହେବ, ତା ଉପରେ ଫୋକସ୍ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ସହରରେ ଏପର୍ଯ୍ୟନ୍ତ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୨୨ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨୨ ଜଣ ଚିକିତ୍ସାଧୀନ ଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

   Related Posts