ରାଷ୍ଟ୍ରପତିଙ୍କର ହେବ କରୋନା ଟେଷ୍ଟ: ୨୪ ଘଣ୍ଟାରେ ପୁଣି ୧୦୦ ନୂଆ ରୋଗୀ ଚିହ୍ନଟ, ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
21/03/2020 at 7:08 PM

ନୂଆଦିଲ୍ଲୀ୨୧/୩: ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟା ପାଖାପାଖି ୧୦୦ ବଢି ଯାଇଛି। ଶୁକ୍ରବାର ୬୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଶନିବାର ସଂଧ୍ୟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଶହ ଛୁଇଁଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬ ହଜାର ୭ଶହ ଜଣଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଏହି ସୂଚନା ଦେଇଛି।

ଶନିବାର ଅପରାହ୍ଣରେ ସ୍ବାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁଯାୟୀ ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ ବିଦେଶୀ । ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ହସ୍ପିଟାଲରେ ଏବେ ୨୬୨ ଜଣଙ୍କ ଚିକିତ୍ସା ଚାଲିଛି। ଶନିବାର ହଠାତ୍ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ଏଠାରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଶନିବାର ଆଉ ୬ ନୂଆ ରୋଗୀ ଠାବ ହୋଇଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୬୩ରେ ପହଞ୍ଚିଛି । କେରଳରେ ୪୦, ଉତ୍ତର ପ୍ରଦେଶରେ ୨୫, ଦିଲ୍ଲୀରେ ୨୬, କର୍ଣ୍ଣାଟକରେ ୧୮, ତେଲେଙ୍ଗାନାରେ ୧୯, ଲଦାଖରେ ୧୩, ଗୁଜୁରାଟରେ ୧୩ ଜଣ ପଜିଟିଭ୍ ଶନିବାର ଅପରାହ୍ଣ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ୨୨ ରାଜ୍ୟକୁ ବ୍ୟାପିଲାଣି କରୋନା । ଆଜିଠୁ ଦେଶର ୧୧୧ ଟି ଲେବୋରଟରୀରେ କରୋନା ଭାଇରସ୍ ର ପରୀକ୍ଷଣ ଆରମ୍ଭ ହୋଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କରୋନା ଟେଷ୍ଟ କରାଯିବ। କରୋନା ଆକ୍ରାନ୍ତ ବଲିଉଡ ସିଙ୍ଗର କନିକା କପୁର ଦେଇଥିବା ପାର୍ଟିରେ ଯୋଗା ଦେବା ପରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସରକାରଙ୍କ ଦିଶା ନିର୍ଦେଶ ଅନୁଯାୟୀ ରାଷ୍ଟ୍ରପତିଙ୍କ କରୋନା ଟେଷ୍ଟ କରାଯିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ରାଷ୍ଟ୍ରପତିଙ୍କ ସୁବୁ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି ।

ଆଶ୍ବସ୍ତିକର ବିଷୟ ହେଲା କନିକାଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହା ଭିତରେ ଅଛନ୍ତି ୟୁପି ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ । ଜୟ ପ୍ରତାପ ଲକ୍ଷ୍ବୌରେ କନିକା କପୁରଙ୍କ ସହ ଏକ ପାର୍ଟିରେ ଉପସ୍ଥିତ ଥିଲେ । ପାର୍ଟରେ ଉପସ୍ଥିତ ଥିବା ରାଜସ୍ଥାନ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ଦୁଷ୍ୟନ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତଥ୍ୟ ଲୁଚାଇଥିବାରୁ କନିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ଦିଲ୍ଳୀର ଗରିବ, ବିଧବା ଏବଂ ଭିନ୍ନକ୍ଷମ ପରିବାର ପାଇଁ ରାସନ କୋଟା ବୃଦ୍ଧି କରାଯାଇଛି । ୭୦ ଲକ୍ଷ ବ୍ୟକ୍ତିଙ୍କୁ ଦିଆଯିବ ସାଢେ ୭ କିଲୋ ଲେଖାଁଏ ମାଗଣା ରାସନ । ଏହାସହ ବିଭିନ୍ନ ଭତ୍ତାକୁ ମଧ୍ୟ ଡବଲ କରାଯାଇଛି । ଆବଶ୍ୟକ ହେଲ ଦିଲ୍ଲୀକୁ ଲକ୍ ଡାଉନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଉତ୍ତର ପ୍ରେଦଶ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରାୟ ୩୫ ଶ୍ରମିକଙ୍କୁ ୧ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ।

କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଭାରତର ଅନେକ ସହରରେ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ରରେ ଅନେକ ସହରକୁ ଲକ୍ ଡାଉନ୍ କରିଦିଆଯାଇଛି । କିନ୍ତୁ ଭାଇରସ ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନଥିବାରୁ ଜୀବନ ବଞ୍ଚାଇବା ଏବେ ସବୁଠାରୁ ବଡ଼ କାମ ହୋଇଛି । ଆସନ୍ତାକାଲି ଜନତା କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସଂଧ୍ୟା ୫ ଟାରେ ସବୁ ସହର, ପୌର ସଂସ୍ଥା, ପଂଚୟାତିରାଜ ସଂସ୍ଥା, ଫାୟାର ସର୍ଭିସ୍, ପୋଲିସ, ସଭିଲ ଡିଫେନ୍ସ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ସାଇରନ୍ ବଜାଇାବକୁ କେନ୍ଦ୍ର ଗୃହ ସଚିବଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏସଂପର୍କରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ।