Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଟୋବର ୨ରୁ ପୁଣି ଅନଶନରେ ବସିବେ ଆନ୍ନା ହଜାରେ , ଜାଣନ୍ତୁ କାରଣ କଣ

4/09/2018 at 7:55 PM

ମୁମ୍ବାଇ ୪|୯:  ଦୁର୍ନୀତି ବିରୋଧରେ ସ୍ବର ଉଠାଇ ଆସୁଥିବା ସମାଜସେବୀ ଆନ୍ନା ହଜାରେ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତିରୁ ପୁଣି ବସିବେ ଅନଶନରେ । ଏଥର କିନ୍ତୁ ଦିଲ୍ଲୀ ନୁହଁ, ବରଂ ଆନ୍ନା ନିଜ ଗାଁ ରାଲେ ଗାଓଁ ସିଦ୍ଦିଠାରେ ଅନଶନରେ ବସିବା ପାଇଁ ସ୍ଥିର କରିଛନ୍ତି ।

ମୁଖ୍ୟତଃ ଲୋକପାଳ ନିଯୁକ୍ତି, ଚାଷୀଙ୍କୁ ମାସିକ ୫୦୦୦ଟଙ୍କା ପେନ୍‌ସନ ଏବଂ ଚାଷୀଙ୍କ ସମ୍ପର୍କରେ ସ୍ବାମୀନାଥନ କମିଟି ଦେଇଥିବା ସୁପାରିସକୁ କାର୍ଯ୍ୟକାରୀ କରିବା ଦାବୀରେ ଆନ୍ନା ଅନଶନରେ ବସିବେ। ଏହି ସବୁ ଦାବୀ ନେଇ ଗତ ମାର୍ଚ୍ଚମାସରେ ମଧ୍ୟ ଆନ୍ନା ଦିଲ୍ଲୀରେ ଅନଶନ ଆରମ୍ଭ କରୁଥିଲେ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ ତାଙ୍କ ସହ ଆଲୋଚନା କରି ଦାବୀ ସମ୍ପର୍କରେ କେନ୍ଦ୍ର ସରକାର ସକାରତ୍ମକଭାବେ ଚିନ୍ତା କରୁଛନ୍ତି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଅନଶନରୁ ଆନ୍ନା ଓହରିଥିଲେ । କିନ୍ତୁ ୬ମାସ ମଧ୍ୟରେ ସରକାର କିଛି ନକଲେ ପୁଣି ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଅକ୍ଟୋବର ମାସକୁ ୬ମାସ ପୁରୁଥିବାରୁ ଆନ୍ନା ଗାନ୍ଧୀ ଜୟନ୍ତିରୁ ତାଙ୍କ ଅନଶନ ଆରମ୍ଭ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦେଶର ଚାଷୀଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଚାଷୀଙ୍କ ଆର୍ଥିକସ୍ଥିତି ସୁଧାରିବା ପାଇଁ ସ୍ବାମୀନାଥନ କମିଟି ଦେଇଥିବା ପରାମର୍ଶ କାର୍ଯ୍ୟକାରୀ କରିବା ଉପରେ ଆନ୍ନା ଗୁରୁତ୍ବ ଦେଇ ଆସୁଛନ୍ତି। ଚାଷୀମାନଙ୍କର ଆର୍ଥକ ଅଭିବୃଦ୍ଧି ପାଇଁ ୨୦୦୪ ମସିହାରୁ ୨୦୦୬ ମସିହା ମଧ୍ୟରେ ସ୍ବାମୀନାଥନ କମିଟି ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି।

ଦେଶରେ ଲୋକପାଳ ଆନ୍ଦୋଳନର ପ୍ରବକ୍ତା , ୮୦ବର୍ଷ ବୟସ୍କ ଆନ୍ନା ହଜାରେ ୨୦୧୧ମସିହାରେ ଲୋକପାଳ ବ୍ୟବସ୍ଥା ପ୍ରଚଳନ ପାଇଁ ଦିଲ୍ଲୀଠାରେ ୧୧ଦିନ ଧରି ଅନଶନରେ ବସିଥିଲେ। ଆନ୍ଦୋଳନକୁ ଏଭଳି ଜନସମର୍ଥନ ମିଳିଥିଲା ଯେ, ସରକାର ଆନ୍ନାଙ୍କ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ ।

   Related Posts