ଝାରପଡା ଜେଲରେ ପହଁଚିଲେ ଅଞ୍ଜନା ମିଶ୍ର, ମୁଖ୍ୟ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ୍

Published By : Prameya-News7 Bureau | March 03, 2021 IST

ଭୁବନେଶ୍ୱର,୦୩/ ୦୩:  ବୁଧବାର ହେବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନର ଟିଆଇ ପରେଡ । ଟିଆଇ ପରେଡ୍ ପାଇଁ  ଝାରପଡାରେ ପହଁଚିଛନ୍ତି ଅଞ୍ଜନା । ଝାରପଡା ଜେଲରେ ହିଁ ଟିଆଇ ପରେଡ୍ ଅନୁଷ୍ଠିତ ହେବ ।

୧୯୯୯ ମସିହା ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୪ ଓ ୫ ତାରିଖ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ ଟିମ୍ । ତା ପୂର୍ବରୁ ବୁଧବାର ଜେଲରେ ଥିବା ବିବନର ଟିଆଇ ପରେଡ କରାଯିବ । ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡା ଜେଲ୍ ଭିତରେ ଟିଆଇ ପରେଡ ହେବ । ଏହି ସମୟରେ ପୀଡ଼ିତା ଉପସ୍ଥିତ ରହିବେ ।

ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍ । ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ ।

କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ ପୁନେରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିଲା । ଏହାପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା । ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.