ଇବ୍ରାହୀମ ଓ ଅଞ୍ଜଳିଙ୍କ ପ୍ରେମ ବିବାହକୁ ନେଇ ଏତେ ହଙ୍ଗାମା କାହିଁକି ? ଜାଣନ୍ତୁ କାରଣ
24/10/2019 at 4:51 PM

କେରଳର ହାଦିଆ ମାମଲା ଭଳି ଛତିଶଗଡ ଧମତରୀର ଇବ୍ରାହୀମ ଓ ଅଞ୍ଜଳିଙ୍କ ପ୍ରେମ ବିବାହ ଏବେ କୋର୍ଟ, ପୋଲିସ, ଧାର୍ମିକ ଓ ସ୍ୱେଛାସେବୀ ସଙ୍ଗଠନଙ୍କ ମଧ୍ୟରେ ଫସି ଯାଇଛି। ଏବେ ଅଞ୍ଜଳି ନା ଇବ୍ରାହିମଙ୍କ ପାଖକୁ ଯାଇ ପାରୁଛନ୍ତି ନା ତାଙ୍କ ପିତାଙ୍କ ଘରକୁ। ଏଣୁ ଗତ ୭ ମାସ ହେଲା ରାୟପୁରର ସରକାରୀ ସେଲ୍ଟର ହୋମ ‘ସଖୀ ସେଣ୍ଟର’ରେ ରହୁଛନ୍ତି । ସେପଟେ ତାଙ୍କ ପିତା ଅଶୋକ ଜୈନ ଅଞ୍ଜଳିଙ୍କ ଏଭଳି ବିବାହକୁ ‘ଲଭ ଜିହାଦ’ କହି ରାଜ୍ୟ କୋର୍ଟରୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ୭ଟି ମୋକଦ୍ଦମା ରୁଜୁ କରି ରଖିଛନ୍ତି।

ସୂଚନା ଅନୁସାରେ ଛତିଶଗଡ ଧମତରୀ ନିବାସୀ ଇବ୍ରାହୀମ ସିଦ୍ଦିକି ଓ ଅଞ୍ଜଳି ଜୈନ ୨ ବର୍ଷର ଚିହ୍ନା ପରିଚୟ ପରେ ଗତ ୨୦୧୮ ମସିହା ଫେବୃଆରୀ ୨୫ ତାରିଖ ଦିନ ରାୟପୁର ଆର୍ଯ୍ୟ ମନ୍ଦିରରେ ବିବାହ କରିଥିଲେ। ଏଥିଲାଗି ପୂର୍ବରୁ ଇବ୍ରାହୀମ ତାଙ୍କ ଧର୍ମ ତ୍ୟାଗ କରିବା ସହ ହିନ୍ଦୁତ୍ୱ ଗ୍ରହଣ କରିଥିଲେ। ତେବେ ଅଞ୍ଜଳିଙ୍କ ପରିବାର ଲୋକେ ତାଙ୍କ ବିବାହ ସୂଚନା ପାଇବା ପରେ ତାଙ୍କୁ ଘରେ ବନ୍ଦୀ କରି ରଖିଥିବା ଇବ୍ରାହୀମ ଓରଫ ଆର୍ୟ୍ୟନ ଆର୍ୟ୍ୟ ଅଭିଯୋଗ କରିଥିଲେ। ଏଣୁ ଇବ୍ରାହୀମ ବାଧ୍ୟ ହୋଇ ଛତିଗଡ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।

କୋର୍ଟ ମାମଲାରେ ଅଞ୍ଜଳିଙ୍କୁ ନିଷ୍ପତ୍ତି ନେବାକୁ ସମୟ ଦେବା ସହ ଏହି ସମୟରେ ସେ ଛାତ୍ରାବାସରେ ରହିବେ ଅଥବା ପରିବାର ସହ ରହିବେ ସେ ନେଇ ନିଷ୍ପତ୍ତି ନେବାକୁ କହିଥିଲେ। ସେହି ଅନୁସାରେ ଅଞ୍ଜଳି ପ୍ରଥମେ ଛାତ୍ରାବାସରେ ରହିଥିଲେ ହେଁ ପରେ ପିତାମାତାଙ୍କ ନିକଟଙ୍କୁ ଫେରିଯାଇଥିଲେ। ତେବେ ଏହା ବିରୋଧରେ ଇବ୍ରାହୀମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଅଞ୍ଜଳି ପିତାମାତାଙ୍କ ସହ ରହିବେ ବୋଲି କହିଥିଲେ। ହେଲେ ପରିବାର ଲୋକେ ଅଞ୍ଜଳିଙ୍କୁ ଘରକୁ ନେଇ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଯୋଗୁ ଅଞ୍ଜଳି ରାଜ୍ୟ ପୋଲିସ ମୁଖ୍ୟଙ୍କୁ ଟେଲିଫୋନରେ ସୂଚନା ଦେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ସେଲ୍ଟର ହୋମରେ ରଖିଛି।

ତେବେ ଅଞ୍ଜଳିଙ୍କ କହିବା କଥା ହେଲା ସେ ପ୍ରେମ କରୁଥିଲେ ଓ ବିବାହ କରିଛନ୍ତି। ହେଲେ ତାଙ୍କ ବାପା ସେସବୁ କଥା କିଛି ବୁଝନ୍ତିନି। ତାଙ୍କ ବିବାହକୁ ଲଭ ଜିହାଦ କହୁଥିବା ବେଳେ ହିନ୍ଦୁ ସଙ୍ଗଠନ ଓ ସମାଜର ଲୋକଙ୍କୁ ନେଇ ଏହାକୁ ସାମ୍ପ୍ରଦାୟିକ ରୂପ ଦେଉଛନ୍ତି। ସେପଟେ ମାମଲା ଏବେ ରାଜନୀତିକରଣ ମଧ୍ୟ ହେଲାଣି। ମାମଲାରେ କଂଗ୍ରେସ ନେତ୍ରୀ କିରଣମୟୀ ନାୟକ ଅଞ୍ଜଳିଙ୍କ ପିତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି। ଅଞ୍ଜଳି ସାବାଳିକା ହୋଇଥିଲେ ହେଁ ତାଙ୍କ ପିତା ତାଙ୍କ ଉପରେ ଚାପ ସୃଷ୍ଟି କରୁଥିବା କରିଣମୟୀ ଅଭିଯୋଗ କରିଛନ୍ତି। ତେବେ ଅ଼ଞ୍ଜଳି ଓ ଇବ୍ରାହୀମଙ୍କ ବିବାହ ଏବେ ଏତେ ବିବାଦୀୟ ହୋଇପଡିଛି ଯେ ଏବେ କୋର୍ଟଙ୍କ ନିଷ୍ପତ୍ତି ହିଁ ସେମାନଙ୍କୁ ମିଳାଇ ପାରିବ ବୋଲି ଆଶା କରାଯାଉଛି। ତେବେ ସେ ପର୍ଯ୍ୟନ୍ତ ଅଞ୍ଜଳି ସେଲ୍ଟର ହୋମରେ ରହିବା ଏବେ ଏକ ପ୍ରକାର ନିଶ୍ଚିତ।