Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପେପର ଲିକ୍‌ ମାମଲା: ଅନୀଲ ଦେଶମୁଖଙ୍କ ଓକିଲ ଏବଂ ସିବିଆଇ ଏସଆଇଙ୍କ ଜାମିନ ଆବେଦନ ଖାରଜ

8/09/2021 at 7:04 PM

ନୂଆଦିଲ୍ଲୀ ୮/୦୯: ପେପର ଲିକ୍‌ ମାମଲାରେ ଜେଲରେ ଥିବା ଅନିଲ ଦେଶମୁଖଙ୍କ ଓକିଲ ଏବଂ ସିବିଆଇ ଏସଆଇଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ୍‌ ଜଷ୍ଟିସ୍‌ ବିମଳ ଯାଦବ ଏହି ଆଦେଶ ଜାରି କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗା ଏବଂ ସିବିଆଇରେ ଏସଆଇ ଅଭିଷେକ ତିଓ୍ବାରୀଙ୍କୁ କୋର୍ଟ ୬ ସେପ୍ଟେମ୍ବରରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ।

ଏହା ପୂର୍ବରୁ ସେମାନେ ୪ ସେପ୍ଟେମ୍ବରରେ ଜାମିନ ପାଇଁ ଆବେଦନ କରିଥିଲେ। ଆନନ୍ଦ ଡାଗାଙ୍କୁ ଗୁପ୍ତ ସୂଚନା ଦେବା ପାଇଁ ଅଭିଷେକ ତିଓ୍ବାରୀ ତାଙ୍କ ପାଖରୁ ଆଇଫୋନ୍‌ ୧୨ ପ୍ରୋ ଏବଂ ଅନ୍ୟ ଦାମୀ ଉପହାର ଲାଞ୍ଚ ନେଇଥିଲେ ବୋଲି କୋର୍ଟରେ ସିବିଆଇ ପକ୍ଷରୁ କୁହାଯାଇଥିଲା। ସିବିଆଇ ପକ୍ଷରୁ ଦିଆଯାଇଥିବା ଏଫଆଇଆର ମୁତାବିକ, ଦେଶମୁଖଙ୍କ ମାମଲାରେ ଯାଞ୍ଚ ପାଇଁ  ସିବିଆଇର ଡିଏସପି ଆରଏସ୍‌ ଗୁଞ୍ଜିୟାଲ୍‌ ଏବଂ ତିଓ୍ବାରୀ ୬ ଏପ୍ରିଲ୍‌ରେ ମୁମ୍ବାଇ ଯାଇଥିଲେ।

୧୪ ଏପ୍ରିଲରେ ସେମାନେ ଦେଶମୁଖ ଏବଂ ଅନ୍ୟ ସାକ୍ଷିଙ୍କ ପାଖରୁ ବୟାନ ରେକର୍ଡ କରିଥିଲେ। ଅଭିଷେକ ତିଓ୍ବାରୀଙ୍କ ପାଖରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଥିଲା। ତିଓ୍ବାରୀ ହ୍ବାଟସ୍‌ଆପ୍‌ ମାଧ୍ୟମରେ ଡାଗାଙ୍କୁ ଡକ୍ୟୁମେଣ୍ଟ ପଠାଇଥିଲେ।    ଏହା ପରେ ସିବିଆଇର ବରିଷ୍ଠ ଅଧିକାରୀଙ୍କ ନିର୍ଦେଶ କ୍ରମେ ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୧୮ ଅଗଷ୍ଟରେ ସୁପ୍ରିମକୋର୍ଟ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ। ଏହା ସହ ତାଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

   Related Posts