ଋଣ ସୁଝି ପାରିଲେନି: ମୁଖ୍ୟାଳୟ ଉପରେ କବ୍‌ଜା କଲା YES ବ୍ୟାଙ୍କ, ପୁରୁଣା ଦପ୍ତରକୁ ସିଫ୍ଟ ହେବାକୁ ବାଧ୍ୟ ହେଲେ ଅନିଲ ଅମ୍ବାନୀ

Published By : Prameya-News7 Bureau | August 14, 2020 IST

ମୁମ୍ବାଇ ୧୪।୦୮: ଋଣ ଜାଲରେ ଫସିଥିବା ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ଅନିଲ ଅମ୍ବାନୀ ପୁଣି ଥରେ ନିଜର ପୁରୁଣା ମୁଖ୍ୟାଳୟକୁ ସ୍ଥାନାନ୍ତର ହେବେ। ଗତ ଦିନରେ ଘରୋଇ କ୍ଷେତ୍ରର ୟସ୍ ବ୍ୟାଙ୍କ ୨,୮୯୨ କୋଟି ଟଙ୍କାର ବକେୟା ଋଣ ପରିଶୋଧ କରିନଥିବା କାରଣରୁ ଅନିଲ ଧିରୁଭାଇ ଅମ୍ବାନୀ ସମୂହ(ADAG)ର ସାନ୍ତାକ୍ରୁଜ ମୁଖ୍ୟାଳୟକୁ ନିଜ କବ୍‌ଜାକୁ ନେଇ ଯାଇଥିଲା। ଏହି କାରଣରୁ ଅନିଲ ଅମ୍ବାନୀଙ୍କୁ ଏବେ ବାଧ୍ୟ ହୋଇ ପୁଣି ଥରେ ଦକ୍ଷିଣ ମୁମ୍ବାଇର ବେଲାର୍ଡ ଏଷ୍ଟେଟ୍ ସ୍ଥିତ ରିଲାଏନ୍ସ ସେଣ୍ଟରକୁ ସ୍ଥାନାନ୍ତର ହେବାକୁ ପଡିବ। ଉଲ୍ଲେଖନୀୟ ୨୦୧୮ ପର୍ଯ୍ୟନ୍ତ ଅନିଲ ଅମ୍ବାନୀ ଏଠାରୁ ହିଁ କାମ କରୁଥିଲେ।

୧୯୯୦ରେ ଧିରୁଭାଇ ଅମ୍ବାନୀଙ୍କ ନେତୃତ୍ଵରେ ରିଲାଏନ୍ସ  ଯେବେ ଆଇସିଆଇର ଅଧିଗ୍ରହଣ କରିଥିଲା ତେବେ ବେଲାର୍ଡ ଏଷ୍ଟେଟରେ ସ୍ଥିତ ରିଲାଏନ୍ସ ସେଣ୍ଟର ଅମ୍ବାନୀ ପରିବାର ଅଧିନକୁ ଆସିଥିଲା। ମାତ୍ର ଧିରୁଭାଇ ଅମ୍ବାନୀଙ୍କ ଦେହାନ୍ତ ପରେ ଅନିଲ ଓ ମୁକେଶଙ୍କ ମଧ୍ୟରେ ସଂପତ୍ତିର ବିଭାଜନ ହୋଇଥିଲା। ଏହି ବଣ୍ଟନରେ ରିଲାଏନ୍ସ ସେଣ୍ଟର ଅନିଲ ଅମ୍ବାନୀଙ୍କୁ ମିଳିଥିଲା। କିନ୍ତୁ ଏହି କୋଠାର ଗୋଟିଏ ଭାଗ ମହାରାଷ୍ଟ୍ର ସରକାରଙ୍କ ଖାଦ୍ୟ ଏବଂ ଯୋଗାଣ ବିଭାଗ ପାଖରେ ରହିଛି।

ସାନ୍ତାକ୍ରୁଜ ତୂଳନାରେ ବହୁତ ଛୋଟ ଦପ୍ତର

ବିଜନେସ ଟୁଡେର ରିପୋର୍ଟ ଅନୁଯାୟୀ କରୋନା ଭାଇରସ ସଙ୍କଟ କାରଣରୁ ଅନିଲ ଅମ୍ବାନୀଙ୍କୁ ମୁଖ୍ୟାଳୟ ପରିବର୍ତ୍ତନ କରିବାରେ ସମୟ ଲାଗିଛି। ଏହି ଦପ୍ତରରେ ମରାମତି କାମ ଜାରି ରହିଛି। ଏହି ଦପ୍ତରର ଆୟତନ ୬୦୦୦ ବର୍ଗଫୁଟ୍।

ଏହି ତିନି ମହଲା କୋଠାରେ ସାନ୍ତାକ୍ରୁଜ ତୂଳନାରେ ସମସ୍ତ କର୍ମଚାରୀଙ୍କୁ ବସିବାରେ ସମସ୍ୟା ହୋଇପାରେ। କାରଣ ସାନ୍ତାକ୍ରୁଜ ମୁଖ୍ୟାଳୟ ୭ ଲକ୍ଷ ବର୍ଗଫୁଟ ଜମିରେ ବ୍ୟାପ୍ତ ଥିଲା। କିନ୍ତୁ ଏହି ପୂରା ମାମଲାରେ ରିଲାଏନ୍ସ ଗ୍ରୁପ ତରଫରୁ କୌଣସି ଉତ୍ତର ଆସିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.