ଅନୀଲ ଅମ୍ବାନୀଙ୍କଠୁ କେମିତି ଋଣ ଫେରସ୍ତ ପାଇବେ ଚୀନ୍ ବ୍ୟାଙ୍କ ? କୋର୍ଟରେ ମାମଲା ବେଳେ ସମ୍ପତ୍ତି ଉପରେ ନଜର

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ, ୨୮ ।୦୯:ଭାରତୀୟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଚାଇନା ବ୍ୟାଙ୍କ୍ । ଋଣ ସୁଝିବାରେ ବିଫଳ ହେବାରୁ ଅନୀଲଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତିନୋଟି ଚୀନ୍ ବ୍ୟାଙ୍କ୍ । ଏହି ବ୍ୟାଙ୍କ ଉପରେ ଅନୀଲ ଅମ୍ବାନୀଙ୍କ ୭୧୬ ମିଲିୟନ ଡଲାର ବା ୫୨୭୬ କୋଟି ଟଙ୍କା ବାକି ରହିଛି । ଏହାବ୍ୟତୀତ ଏହାକୁ ନେଇ କୋର୍ଟରେ ଆଇନଗତ ଲଢେଇର ଖର୍ଚ୍ଚ ଅଲଗା ରହିଛି । ଏହି ଅର୍ଥ ମଧ୍ୟ ଅନୀଲଙ୍କଠୁ ବ୍ୟାଙ୍କ୍ ଅସୁଲ୍ କରିବେ ।

ଗତ କିଛିଦିନ ତଳେ ୟୁକେର ଏକ କୋର୍ଟରେ ଶୁଣାଣି ବେଳେ ନିଜ ଖର୍ଚ୍ଚ ଓ ଓକିଲ ଖର୍ଚ୍ଚ ତୁଲାଇବା ପାଇଁ ରାସ୍ତା ନଥିବା ଓ ସେ ଗହଣା ବିକି ଚଳୁଥିବା ବୋଲି କହିଥିଲେ ।

ତେବେ ଚୀନ୍ ବ୍ୟାଙ୍କ ଏହି ନିଷ୍ପତ୍ତି ୟୁକେର ହାଇକୋର୍ଟେ ଶୁକ୍ରବାର ଶୁଣାଣି ପରେ ନେଇଛନ୍ତି । ଏହି ଶୁଣାଣିରେ ଅନୀଲ କହିଥିଲେ ଯେ, ତାଙ୍କ ପାଖରେ ଆଉ କୌଣସି ଆୟର ଉତ୍ସ ନାହିଁ । ସେ ଅବସାଦପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି । ଏପରିକି ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ତାଙ୍କୁ କୋର୍ଟର ଅନୁମତି ନେବାକୁ ପଡିବ ।

ଏକଦା ଏପରି ସମୟ ଥିଲା ଯେତେବେଳେ ଅନୀଲ ଅମ୍ବାନୀ ବିଶ୍ୱର ଧନି ତାଲିକାରେ ଷଷ୍ଠରେ ଥିଲେ । କିନ୍ତୁ ପରେ ତାଙ୍କ ଶିଳ୍ପ ସାମ୍ରାଜ୍ୟ ଭାଙ୍ଗି ଯାଇଥିଲା । ୟୁକେର କୋର୍ଟ ଅନିଲ ଅମ୍ବାନୀଙ୍କୁ ଚଳିତ ବର୍ଷ ମେ ୨୨ରେ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ୍ ଅଫ୍ ଚାଇନା, ଏକ୍ସପୋର୍ଟ-ଇମପୋର୍ଟ ବ୍ୟାଙ୍କ୍ ଅଫ୍ ଚାଇନା ଓ ଡେଭଲେପମେଣ୍ଟ ବ୍ୟାଙ୍କ୍ ଅଫ୍ ଚାଇନାକୁ ୭୧୬ ମିଲିୟନ ଡଲାର ସହ ସୁଧ ଓ କୋର୍ଟ ଖର୍ଚ୍ଚ ବାବଦରେ ୭୫୦ ହଜାର ପାଉଣ୍ଡ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜୁନ୍ ୨୨ ଯାଏଁ ଅନିଲ ଅମ୍ବାନୀଙ୍କୁ ଋଣ ରାଶି ବୃଦ୍ଧି ପାଇ ୭୧୭.୬୭ ମିଲିୟନ ଡଲାରରେ ପହଁଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.