ମଜା ମଜାରେ ଛାତ ଉପରୁ ଇଟା ଫୋପାଡୁଥିଲା ମାଙ୍କଡ, ମୁଣ୍ଡ ଫାଟି ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦: ଅନେକ ପଶୁ ଗାଈ, ବଳଦ ଠାରୁ ଆରମ୍ଭ କରି କୁକୁର, ଘୁଷୁରି, ମାଙ୍କଡ଼ ପର୍ଯ୍ୟନ୍ତ ରାସ୍ତାରେ ଖୋଲା ସ୍ଥାନରେ ବୁଲିଥାନ୍ତି। ଏହି କାରଣରୁ ଅନେକ ପ୍ରକାରର ଦୁର୍ଘଟଣା ବି ଘଟିଥାଏ। ବେଳେବେଳେ କୁକୁର, ମାଙ୍କଡ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଆକ୍ରମଣ କରିଦେଇଥାନ୍ତି। ବର୍ତ୍ତମାନ ଏପରି ଏକ ମାମଲା ନୂଆଦିଲ୍ଲୀରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ମାଙ୍କଡ଼ ଆକ୍ରମଣରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ବାସିନ୍ଦା ମହମ୍ମଦ କୁର୍ବାନ୍ ମାଙ୍କଡ଼ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। କୁର୍ବାନଙ୍କ ଉପରେ ଘରର ଛାତ ଉପରୁ ମାଙ୍କଡ଼ ଇଟା ଫିଙ୍ଗି ଥିଲା। ଇଟାଟି ସିଧାସଳଖ କୁର୍ବାନଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ସେଠାରେ ପଡିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କୁହାଯାଉଛି ଯେଉଁ ଘର ଛାତ ଉପରୁ ମାଙ୍କଡ ଇଟା ପକାଇଥିଲା, ତାହା ଓମପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କର ଥିଲା। ସେ ଘରର ଛାତ ଉପରେ ଲାଗିଥିବା ଟାଙ୍କିଗୁଡ଼ିକୁ ମାଙ୍କଡ଼ଙ୍କ ଠାରୁ ରକ୍ଷା କରିବା ପାଇଁ ତାହାକୁ ଇଟାରେ ଦାବି ରଖିଥିଲେ। ମାଙ୍କଡ ଟାଙ୍କିରୁ ଏହି ଇଟା ଉଠାଇ ସେହି ବ୍ୟକ୍ତିଙ୍କ ଉପରେ ପକାଇଥିଲା। ଏହା ବ୍ୟତୀତ ମାଙ୍କଡ଼ଟି ଆଉ ଏକ ଇଟା ମଧ୍ୟ ଫୋପାଡି ଥିଲା, ଯାହା ସଂଲଗ୍ନ ଟେରାସରେ ପଡିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ସେହି ଟେରାସରେ କେହି ଉପସ୍ଥିତ ନଥିଲେ। ଖବର ଅନୁଯାୟୀ, ମାଙ୍କଡ଼ ମହମ୍ମଦ କୁର୍ବାନଙ୍କୁ ଟାର୍ଗେଟ କରିନଥିଲା ସେ କେବଳ ଟାଙ୍କିରୁ ଇଟା ପକାଉଥିଲା। ତଳେ ଯିବାବେଳେ ଇଟାଟି ବ୍ୟକ୍ତିଙ୍କ ମୁଣ୍ଡରେ ସିଧାସଳଖ ବାଜିଥିଲା ​​ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.