Homo sexualଲାଗି ଭେଦଭାବର ଶିକାର ସୈନିକଙ୍କୁ କ୍ଷତିପୂରଣ ଦେବେ ଜର୍ମାନ ସରକାର
26/11/2020 at 9:27 PM

ବର୍ଲିନ : ଜର୍ମାନ ସୈନ୍ୟ ବାହିନୀରେ ସମଲୈଙ୍ଗିକ ଯୋଗୁ ୨୦୦୦ ମସିହା ପୂର୍ବରୁ ଭେଦଭାବର ଶିକାର ସୈନିକଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଜର୍ମାନ କ୍ୟାବିନେଟ୍ ସହମତ ହୋଇଛି। ଏପରି ଅଭିଯୋଗର ସମାଧାନ ସହ ସୈନିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ଭେଦଭାବର ଦୀର୍ଘ ଦଶନ୍ଧୀ ପରେ ପ୍ରତିରକ୍ଷାମନ୍ତ୍ରୀ ଆନ୍ନେଗ୍ରେଟ୍ କ୍ରାମ୍ପ କରେନବାଉର ୨ ମାସ ପୂର୍ବେ ବୁନ୍ଦେସୱେହାରରେ ‘ସିଷ୍ଟମେଟିକ ଡିସ୍କ୍ରିମିନେସନ ’ ୧୯୫୫-୨୦୦ ଶିର୍ଷକ ଦଲିଲ ଉପସ୍ଥାପନ ପୂର୍ବକ ସରକାରୀ କ୍ଷମାପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ବୁଧବାର ମନ୍ତ୍ରୀମଣ୍ଡଳର ମୋହର ବାଜିଛି।

ତେବେ କ୍ୟାବିନେଟ୍ର ଘୋଷଣା ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଏଥିଯୋଗୁ ଲୋକେ ସମ୍ମୁଖୀନ ହୋଇଥିବା ସମସ୍ୟାର ଆମେ ଭରଣା କରିପାରିବୁ ନାହିଁ। ତେବେ ଏ ଦିଗରେ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛୁ। ଏଭଳି ଅଭିଯୋଗ ଲାଗି ସାମରିକ କୋର୍ଟ ଦେଇଥିବା ଦଣ୍ଡ ପ୍ରତ୍ୟାହାର କରାଯିବ ଓ ପ୍ରତ୍ୟେକ ଅଭିଯୋଗ ଲାଗି ୩ ହଜାର ୟୁରୋ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କ୍ରାମ୍ପ କରେନବାଉର କହିଛନ୍ତି।

ଏଭଳି ଅଭିଯୋଗ ଲାଗି ଯେଉଁ ସୈନିକମାନେ ଚାକିରୀରୁ ବରଖାସ୍ତ ହୋଇଥିଲେ, ପଦୋନ୍ନତୀ ଓ ଦାୟିତ୍ୱରୁ ବଞ୍ଚିତ ହୋଇଥିଲେ ସେମାନଙ୍କ କ୍ଷତିଭରଣା କରାଯିବ। ଏକ ଆକଳନରୁ ଏଭଳି ଦଣ୍ଡିତ ହୋଇଥିବା ଅନୁନ୍ୟ ୧ ହଜାର ସୈନିକ କ୍ଷତିପୂରଣ ନିମନ୍ତେ ଆବେଦନ କରିପାରନ୍ତି। ବୁନ୍ଦେସୱେରର ଏଲଜିବିଟି ସମୂଦାୟ କ୍ୟୁୟେର ବିଡବ୍ଲୁ ଘୋଷଣାକୁ ସ୍ୱାଗତ କରିଛନ୍ତି। ତେବେ ସରକାର ଘୋଷଣା କରିଥିବା କ୍ଷତିପୂର୍ତ୍ତି ବହୁତ କମ୍ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସଶସ୍ତ୍ର ବାହିନୀ ଇତିହାସରେ ଏହି ଅନ୍ଧକାର ଅଧ୍ୟାୟ ସବୁଦିନ ଲାଗି ବନ୍ଦ ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।