ଅଙ୍ଗନବାଡ଼ି ପିଲା ଖାଇବେ ଚୂନା ମାଛ...

Published By : Prameya-News7 Bureau | November 11, 2020 IST

ଭୁବନେଶ୍ବର ୧୧।୧୧: ଛୋଟ ପିଲାଙ୍କୁ ଏଥର ଚୂନା ମାଛ । ଅଙ୍ଗନଓ୍ୱାଡିରେ ପିଲାଙ୍କୁ ଏବେ ଚୂନା ମାଛ ଖାଇବାକୁ ଦିଆଯିବ । ୩ରୁ୬ ବର୍ଷର ଶିଶୁ ସମେତ ଗର୍ଭବତୀ , ପ୍ରସୂତୀ ଓ କିଶୋରୀଙ୍କ ଯୋଗାଇ ଦିଆଯିବ । ପୃଷ୍ଟିସାଧନ ଖାଦ୍ୟ ତାଲିକାରେ ଚୂନା ମାଛକୁ ସାମିଲ କରାଯାଇଛି । ଏନେଇ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ବିଭାଗ ଓ ଓ୍ୱାଲର୍ଡ ଫିସ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ।  

ପ୍ରଥମେ ଏହା ପାଇଲଟ୍‌ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହା ଯୋଜନା ଆରମ୍ଭ କରାଯିବ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ୍‌ ବୈଠକରେ ଏହି ଚୁକ୍ତି ସ୍ୱାକ୍ଷର କରାଯାଇଛି। ମୟୂରଭଞ୍ଜରେ ପ୍ରକଳ୍ପ ସଫଳ ହେଲେ ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଏହା ପ୍ରସାର କରାଯିବ। ମାଛରେ ପ୍ରଚୁର ପରିମାଣରେ ଲୌହ, ଜିଙ୍କ୍‌, କ୍ୟାଲସିୟମ୍‌, ଭିଟାମିନ୍‌ (ଏବିଡିଇ) ଏବଂ ଓମେଗା-୩ ଫ୍ୟାଟି ଏସିଡ୍‌ ମହଜୁଦ ଥାଏ। ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ଦ୍ୱାରା ପୁଷ୍ଟିସାଧନ ଅଭିଯାନ ସଫଳ ହେବ ବୋଲି ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଅନୁ ଗର୍ଗ କହିଛନ୍ତି।

ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍‌ କହିଛନ୍ତି ଯେ, ମିଶନ ଶକ୍ତିର ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସହ ସମନ୍ୱୟରେ ଚୂନା ମାଛ ଉତ୍ପାଦନ ଓ ଶୁଖିଲା ମାଛ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ପୁଷ୍ଟିସାଧନ ଓ ଅର୍ଥନୈତିକ ସୁଯୋଗ ପାଇଁ ଏହି କାର୍ଯ୍ୟକ୍ରମ ଉପଯୋଗୀ ହେବ ବୋଲି ସେ କହିଛନ୍ତି।

ୱାଲ୍ଡ ଫିସ୍‌ର ବୈଷୟିକ ବିଶେଷଜ୍ଞମାନେ ୬ ମାସ ଭିତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶରେ ସୌରଚାଳିତ ମାଛ ଶୁଖା ଯନ୍ତ୍ର ମାଧ୍ୟମରେ ମାଛ ଶୁଖାଇବା ସମ୍ପର୍କରେ ଜ୍ଞାନକୌଶଳ ଯୋଗାଇବେ ବୋଲି ସେ ସୂଚନା ଦେଇଛନ୍ତି। ସ୍ୱଳ୍ପ ମୂଲ୍ୟର ପଲିହାଉସ୍‌ ସୌରଚାଳିତ ମାଛ ଶୁଖା ଯନ୍ତ୍ର ଯୋଗାଇ ଦିଆଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ମତ୍ସ୍ୟସମ୍ବଳକୁ ପୁଷ୍ଟିସାଧନ ପାଇଁ ବିନିଯୋଗ କରାଯିବ। ସଚେତନତା ପାଇଁ ଟିକି ମାଉସୀଙ୍କ ଦ୍ୱାରା ଚୂନା ମାଛ ଖାଇବାର ଉପାଦେୟତା ସମ୍ପର୍କରେ ଏକ ଆନିମେସନ୍‌ ଭିଡିଓକୁ ଉନ୍ମୋଚନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.