୪ ଜଣଙ୍କୁ ନୂଆ ଜୀବନ ଦେଲା ନାବାଳିକା, ବ୍ରେନ୍ ଡେଡ୍ ପରେ ମୁମ୍ବାଇ ପଠାଗଲା ହୃତପିଣ୍ଡ

Published By : Prameya-News7 Bureau | July 20, 2021 IST

ଚଣ୍ଡିଗଡ଼,୨୦/୦୭: ବ୍ରେନ୍‌ ଡେଡ୍‌ ଘୋଷିତ ଚଣ୍ଡିଗଡର ଜଣେ ୧୩ ବର୍ଷୀୟ ବାଳିକା ନିଜର ଅଙ୍ଗଦାନ କରି ୪ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ।ସେରେବ୍ରାଲ ଓଡେମାରେ ଆକ୍ରାନ୍ତ ହେବା ପରେ ଜୁଲାଇ ୮ ତାରିଖରେ ବାଳିକାଟି ଚେତା ହରାଇଥିଲା । ତାର ପିତାମାତା ତାକୁ ଚଣ୍ଡିଗଡର ସେକ୍ଟେର ୧୬ରେ ଥିବା ସରକାରୀ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ବାଳିକାଟିର ଅବସ୍ଥା ଗୁରୁତର ହୋଇପଡିଥିଲା । ଫଳରେ ତାକୁ ପରଦିନ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମ୍‌ଇଆର)କୁ ନିଆଯାଇଥିଲା । ସେଠାରେ ୧୦ ଦିନ ଧରି ବାଳିକାଟି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ହାରିଯାଇଥିଲା ।

ଜୁଲାଇ ୧୮ ତାରିଖରେ ତାକୁ ଡାକ୍ତରମାନେ ବ୍ରେନ ଡେଡ ବୋଲି ଘୋଷଣା କରିଥିଲେ । ଏହି ସମୟରେ ପିଜିଆଇଏମ୍‌ଇଆରର ଅଙ୍ଗ ପ୍ରତିରୋପଣ ବିଭାଗ ସଂଯୋଜକ ବାଳିକାର ଶୋକସନ୍ତପ୍ତ ପିତାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଅଙ୍ଗଦାନ କରିବାକୁ ଅନୁରୋଧ କରିଥିଲେ । ବାଳିକାର ପିତା ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ । ତାଙ୍କ ଝିଅ ଅନ୍ୟରୋଗୀଙ୍କୁ ନୂଆ ଜୀବନ ଦେଇ ତାଙ୍କଠାରେ ବଞ୍ଚି ରହୁ ବୋଲି ପିତା କୋହଭରା କଣ୍ଠରେ କହିଥିଲେ । ଶେଷରେ ପିତାଙ୍କ ଅନୁମତିକ୍ରମେ ପିଜିଆଇଏମ୍‌ଇଆରର ଡାକ୍ତରମାନେ ବାଳିକାର ଶରୀରରୁ ହୃତ୍‌ପିଣ୍ଡ, ଲିଭର, କିଡ୍‌ନୀ ଓ କର୍ଣ୍ଣିଆ ବାହାର କରିନେଇଥିଲେ । ଅଙ୍ଗ ମିଳିବା ପରେ ବିଶେଷଜ୍ଞ ଡାକ୍ତରମାନେ ନିଜ ନିଜ କାର୍ଯ୍ୟରେ ତୁରନ୍ତ ଲାଗିପଡିଥିଲେ । ତେବେ ପରୀକ୍ଷାରୁ ବାଳିକାର ହୃତ୍‌ପିଣ୍ଡ ପିଜିଆଇଏମ୍‌ଇଆରର କୌଣସି ରୋଗୀଙ୍କ ଶରୀରରେ ମ୍ୟାଚିଂ କରିନଥିଲା । ଫଳରେ ହସ୍ପିଟାଲ ପକ୍ଷରୁ ଅନ୍ୟ ହସ୍ପିଟାଲ ସହିତ ଯୋଗାଯୋଗ କରାଯାଇଥିଲା ।

ଶେଷରେ ନୋଟୋ (ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ) ସହାୟତାରେ ହୃତ୍‌ପିଣ୍ଡକୁ ପ୍ରତିରୋପଣ ପାଇଁ ମୁମ୍ବାଇର ସାର୍‌ ଏଚ୍‌.ଏନ୍‌ ରିଲାଏନ୍ସ ହସ୍ପିଟାଲକୁ ପଠାଯାଇଥିଲା । ହୃତ୍‌ପିଣ୍ଡ ପଠାଇବା ଲାଗି ହସ୍ପିଟାଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍‌ କରିଡର କରାଯାଇଥିଲା । ଯାହାଫଳରେ ହୃତ୍‌ପିଣ୍ଡଟି ଠିକ୍‌ ସମୟରେ ମୁମ୍ବାଇରେ ପହଞ୍ଚିଥିଲା ଏବଂ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇଥିଲା । ସେହିଭଳି ବାଳିକାର ଅନ୍ୟ ଅଙ୍ଗଗୁଡିକ ପିଜିଆଇଏମ୍‌ଇଆରରେ ଥିବା ୩ ଜଣ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା ବୋଲି ହସ୍ପିଟାଲର ଅତିରିକ୍ତ ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଅଶୋକ କୁମାର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.