ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ରୋସୟାଙ୍କ ପରଲୋକକୁ ନେଇ ରାଜନୈତିକ ମହଲରେ ଶୋକ

Published By : Prameya-News7 Bureau | December 04, 2021 IST

ହାଇଦ୍ରାବାଦ ୪।୧୨:  ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡୁ ରାଜ୍ୟପାଳ କୋନୀଜେତି ରୋସେୟାଙ୍କର ଶନିବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପାରିବାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ବୟସାଧିକ୍ୟ କାରଣରୁ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ତାଙ୍କ ପରଲୋକ ଖବର ରାଜନୈତିକ ମହଲରେ ଶୋକର ଲହର ଖେଳାଇ ଦେଇଛି। ଅବିଭକ୍ତ ଆନ୍ଧ୍ରପ୍ରଦେଶ କଂଗ୍ରେସର ରୋସେୟା ଜଣେ ଟାଣୁଆ ନେତା ଥିଲେ ଓ ଦଳରେ ତାଙ୍କୁ ସବୁଠୁ ଅଭିଜ୍ଞ ରାଜନେତା  ଭାବେ ଗଣା ଯାଉଥିଲା।

୩ ସେପ୍ଟେମ୍ବର ୨୦୦୯ରୁ ସେ ୨୪ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ୨୮ ଜୁନ ୨୦୧୪ରୁ ୩୧ ଅଗଷ୍ଟ ୨୦୧୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦଭାର ମଧ୍ୟ ସମ୍ଭାଳି ଥିଲେ। ଦୀର୍ଘ ରାଜନୈତିକ ଜୀବନରେ ସେ ତାମିଲନାଡୁ ରାଜ୍ୟପାଳ ମଧ୍ୟ ହୋଇଥିଲେ। ୩୧ ଅଗଷ୍ଟ ୨୦୧୧ରୁ ସେ ୩୦ ଅଗଷ୍ଟ ୨୦୧୬ ମସିହା ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ।

{"id":554300,"sizeSlug":"full","linkDestination":"none"}

ଆନ୍ଧ୍ରପ୍ରଦେଶ କଂଗ୍ରେସର ଜଣେ ଦିଗ୍ଗଜ ନେତା ଭାବେ ଜଣାଶୁଣା କେ.ରୋସେୟା ତାଙ୍କ ରାଜନୈତିକ ଜୀବନରେ ଅନେକ ବାର ବିଧାୟକ ଓ ସାଂସଦ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟଭାର ତୁଲେଇଥିଲେ। ତେବେ ତାମିଲନାଡୁ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସମାପ୍ତି ପରେ ସେ ରାଜନୀତିରୁ ଅବସର ଘୋଷଣା କରିଥିଲେ। ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ରତା ଆନ୍ଦୋଳନର ନେତା ଏନ.ଜି.ରଙ୍ଗାଙ୍କ ସେ ରାଜନୈତିକ ଶିଷ୍ୟ ଭାବେ ବେଶ ଜଣାଶୁଣା ଥିଲେ।

ସେ ୧୯୬୮, ୧୯୭୪, ୧୯୮୦ ଓ ୨୦୦୯ ମସିହା ଏମଏଲସିକୁ ନିର୍ବାଚିତ ହୋଇଥିବା ବେଳେ ୧୯୮୯ ଓ ୨୦୦୪ ମସିହାରେ ଚିରାଲା ନିର୍ବାଚନମଣ୍ଡଳିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ସେ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇଥିଲେ। ତେବେ ତା ପରଠାରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ରାଜନୀତିରୁ ଅବସର ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.