ସାମ୍ଭବ୍ୟ ବାତ୍ୟା ସମୀକ୍ଷା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ଶ୍ରୀକାକୁଲମ, ବିଜୟନଗରମ ଓ ବିଶାଖା ପାଟଣା ଲାଗି ନିଯୁକ୍ତ କଲେ ୩ ସ୍ୱତନ୍ତ୍ର ଅଧିକାରୀ

Published By : Prameya-News7 Bureau | December 02, 2021 IST

ଅମରାବତୀ ୨।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାର ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଶୁକ୍ରବାର ଏହା ଅବପାତରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛନ୍ତି। ସେହି ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ ଗୁରୁବାର ଶ୍ରୀକାକୁଲମ, ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା କଲେକ୍ଟରଙ୍କସହ ଏକ ଜରୁରି ବୈଠକରେ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା କରିଛନ୍ତି।

ବୈଠକରେ ପୂର୍ବ ସତର୍କତା ନେଇ ମୁଖ୍ୟମନ୍ତ୍ରୀ କଲେକ୍ଟରମାନଙ୍କ ସହ ଆଲୋଚନା କରିଥିବା ବେଳେ ଆବଶ୍ୟକ ସ୍ଥଳରେ ରିଲିଫ ସେଣ୍ଟର ସବୁ ସ୍ଥାପନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବାକୁ ଓ ସବୁ ପ୍ରକାର ଉପାୟ  କରିବା ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ସାମ୍ଭବ୍ୟ ବାତ୍ୟା ପରିଚାଳନା ଲାଗି ଆନ୍ଧ୍ରପ୍ରଦେଶ ସରକାର ୩ ସ୍ୱତନ୍ତ୍ର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।

{"id":553115,"sizeSlug":"full","linkDestination":"none"}
IMD

ଏଥିରେ ଏଚ. ଅଋଣ କୁମାରଙ୍କୁ ଶ୍ରୀକାକୁଲମ ଜିଲ୍ଲା ଲାଗି ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ  କରାଯାଇଥିବା ବେଳେ ବିଜୟନଗରମ ଲାଗି କନ୍ଥିଲାଲ ଦାଣ୍ଡେ ଓ ବିଶାଖାପାଟଣା ଲାଗି ଶ୍ୟାମଲା ରାଓଙ୍କୁ ନିଯୁକ୍ତ କରାଯାଇଛି। ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ସେମାନଙ୍କ ଲାଗି ନିର୍ଦ୍ଧାରିତ ଜିଲ୍ଲାକୁ ତୁରନ୍ତ ପ୍ରସ୍ଥାନ କରିବା ସହ ରିଲିଫ ଓ ପୁନର୍ବାସ କାର୍ଯ୍ୟର ତଦାରଖ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଇଏମଡିଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୪ ଡିସେମ୍ବର ପୂର୍ବାହ୍ନରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ। ଏଣୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଲାଗି ସାମ୍ଭବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଜଗନମୋହନ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଯେତିକି ଉପକୂଳ ନିକଟତର ହେବ ପବନର ବେଗ ବଢିବା ସହ ବର୍ଷାର ପରିମାଣ ମଧ୍ୟ ବଢିବା ନେଇ ଆଶଙ୍କା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.