ଦୈନିକ ଟିକାକରଣ ମାମଲାରେ ଆନ୍ଧ୍ରପ୍ରଦେଶର ବିଶାଳ ରେକର୍ଡ, ଜାଣନ୍ତୁ ଗୋଟିଏ ଦିନରେ କେତେ ଲୋକଙ୍କୁ ଦିଆଗଲା ଭ୍ୟାକସିନ୍‌

Published By : Prameya-News7 Bureau | June 20, 2021 IST

ନୂଆଦିଲ୍ଳୀ ୨୦/୬: କରୋନା ଟିକାକରଣ ମାମଲାରେ ଆନ୍ଧ୍ରପ୍ରଦେଶ ନୂଆ ରେକର୍ଡ ନିଜ ନାଁରେ କରିଛି। ରାଜ୍ୟରେ ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଲାଗିଛି। ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟରେ ଏମିତି ରେକର୍ଡ ଟିକାକରଣ ହୋଇନାହିଁ। ରବିବାର ସନ୍ଧ୍ୟା ୬ ସୁଦ୍ଧା ରାଜ୍ୟ​‌ରେ ୧୨,୫୬,୨୧୫ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏହି ଅଙ୍କ ଆହୁରି ଅଧିକ ହୋଇପାରେ କାରଣ ରାଜ୍ୟର କିଛି ଅଂଶରେ ସନ୍ଧ୍ୟା ୬ ପରେ ମଧ୍ୟ ଟିକାକରଣ ଚାଲୁ ରହିଥିଲା।  

ପିଟିଆଇ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶରେ ଏବେ ସୁଦ୍ଧା ୧.୧ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆସରିଛି। ଏହା ବ୍ୟତୀତ ୨୭ ଲକ୍ଷରୁ ଅଧିକ ଲୋକ ଟିକାର ଦୁଇଟି ଡୋଜ୍‌ ନେଇସାରିଛନ୍ତି। ରବିବାର ଆୟୋଜିତ ମହା ଟିକାକରଣ ଅଭିଯାନରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଏହା ସହ ୫ ବର୍ଷରୁ କମ୍‌ ବୟସର ପିଲା ଥିବା ମା’ମାନଙ୍କୁ ମଧ୍ୟ ପ୍ରାଥମିକତା ଦିଆଯାଇଛି।

ରାଜ୍ୟର ୧୩ ଜିଲ୍ଲାର ୨୨୦୦ ଟିକାକରଣ କେନ୍ଦ୍ରରେ ସକାଳ ୬ରୁ ଭ୍ୟାକ୍ସିନେସନ୍‌ ଆରମ୍ଭ ହୋଇଥିଲା। ଦ୍ବିପ୍ରହର ୨ଟା ସୁଦ୍ଧା ସ୍ବାସ୍ଥ୍ୟକର୍ମୀମାନେ ମୋଟ ୯,୦୨,୩୦୮ ଲୋକଙ୍କୁ ଟିକା ଦେଇସାରିଥିଲେ। ଅପରାହ୍ଣ ୩ଟା ସୁଦ୍ଧା ଏହି ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଥିଲା। ଏହା ପୂର୍ବରୁ ଗୋଟିଏ ଦିନରେ ସବୁଠୁ ଅଧିକ ୬,୨୮,୯୬୧ ଲୋକଙ୍କୁ ଟିକାକରଣ କରି ରେକର୍ଡ ସୃଷ୍ଟି କରିଥିଲା ଆନ୍ଧପ୍ରଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.