ଓଡ଼ିଶାକୁ ଆନ୍ଧ୍ର ଷ୍ଟ୍ରେନ୍ ଭୟ, ଅନ୍ୟ ଷ୍ଟ୍ରେନ ତୁଳନାରେ ୧୫ ଗୁଣା ଅଧିକ ସଂକ୍ରାମକ : ସୀମାବର୍ତ୍ତୀ ଜିଲ୍ଲାରେ ସତର୍କତା

Published By : Prameya-News7 Bureau | May 05, 2021 IST

ଭୁବନେଶ୍ୱର ୦୫।୦୫: ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପରେ ଏବେ ଓଡ଼ିଶାକୁ ଆନ୍ଧ୍ର ଷ୍ଟ୍ରେନ୍ ଭୟ । କୋଭିଡ ଭାଇରସ୍ ର ଆନ୍ଧ୍ର ଏବଂ ତେଲେଙ୍ଗାନା ମ୍ୟୁଟାଣ୍ଟ ନେଇ ସତର୍କତା ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର । ଆନ୍ଧ୍ର ଏବଂ ତେଲେଙ୍ଗାନାରେ ଦେଖା ଦେଇଥିବା ୧୫ ଗୁଣରୁ ଅଧିକ ସଂକ୍ରାମକ କୋଭିଡ୍ ଭାଇରସ୍ କୁ ଜଗିବାକୁ ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲା ଗୁଡିକର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ.ଆର.ସି ।

ଆନ୍ଧ୍ର ଏବଂ ତେଲେଙ୍ଗାନାର ସୀମାକୁ ଲାଗିଥିବା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ସବୁ ରାସ୍ତାରେ ତୁରନ୍ତ ଚେକ୍ ପୋଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଧ୍ର ଏବଂ ତେଲେଙ୍ଗାନ ସୀମାରେ ଥିବା ଛୋଟ-ବଡ଼ ରାସ୍ତାରେ ପୋଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୨ ରାଜ୍ୟରୁ ଓଡ଼ିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କରୋନା ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନିଆ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ । ଏହି ୨ ରାଜ୍ୟରୁ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିଲେ ଓଡ଼ିଶା ଭିତରେ ଗାଡ଼ିକୁ ଅଟକି ରହିବାକୁ ଅନୁମତି ମିଳିବ ନାହିଁ ।

ସୀମାବର୍ତ୍ତୀ ଜିଲ୍ଲାର ସରପଞ୍ଚମାନେ ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କୁ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ସଚେତନ କରିବେ । ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ବିମାନ ଯୋଗେ ଭୁବନେଶ୍ବର କିମ୍ବା ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇଲେ, ୧୪ଦିନିଆ ଇନଷ୍ଟିଚ୍ୟୁସନାଲ୍ କିମ୍ବା ପେଡ୍ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ । ତେବେ ଟିକାର ୨ଟି ଡୋଜ୍ ନେଇଥିଲେ କିମ୍ବା ୪୮ଘଣ୍ଟା ଭିତରେ କରିଥିବା RTPCR ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇଲେ ୭ଦିନିଆ ହୋମ୍ କ୍ବାରେଣ୍ଟାଇନ୍ ପାଇଁ ଅନୁମତି ମିଳିବ । ଜରୁରୀ ସରକାରୀ କାମରେ ଆସୁଥିଲେ ସୀମିତ ଯାତାୟତ କରିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.