ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା, ୨୫ ମୃତ, ଯଥା ସମ୍ଭବ ସହାୟତା ଦେବାକୁ ଭରସା ଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 14, 2020 IST

ହାଇଦ୍ରାବାଦ ୧୪।୧୦: ଅବିଶ୍ରାନ୍ତ ମୂଷଳଧାରା ବର୍ଷା କାରଣରୁ ବେହାଲ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର। ପ୍ରବଳ ବର୍ଷା କାରଣରୁ ଗତ ୨୪ ଘଣ୍ଟାରେ ଦୁଇ ରାଜ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାର ପ୍ରକୋପ ଏବଂ କରାଳରୂପ ସବୁଠୁ ଅଧିକ ହାଇଦ୍ରାବାଦରେ ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ଅନେକ ଅଞ୍ଚଳରେ ଲଗାତାର ବର୍ଷା କାରଣରୁ ଏ ପର୍ଯ୍ୟନ୍ତ ୧୫ ଜଣଙ୍କ ପ୍ରାଣହାନୀ ଘଟିଛି।

ହାଇଦ୍ରାବାଦରେ ୧୫ ଜଣଙ୍କ ବ୍ୟତୀତ କୁର୍ଣ୍ଣୁଲ ନଗରରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ୯ ଜଣଙ୍କ ମୃତ୍ୟୁ ବଦଲାଗୁଡାର ମହମ୍ମଦିଆ ହିଲ୍ସରେ କାନ୍ଥ ଭୁଶୁଡିବାରୁ ଘଟିଛି। ଅନେକ ସଡକ ଜଳମଗ୍ନ ହୋଇଥିବା ବେଳେ କିଛି ତଳିଆ ଅଞ୍ଚଳରେ ସଂପୂର୍ଣ୍ଣ  ଭାବେ ଉବୁଟୁବୁ ଅବସ୍ଥାରେ ରହିଛି। ତେଲଙ୍ଗାନାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୭ ଜଣଙ୍କ ପ୍ରାଣହାନୀ ଘଟିଛି।

wp:html /wp:html

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଜଣାଇଛନ୍ତି ଯେ, ସେ ଭୀଷଣ ବର୍ଷାରେ ସମସ୍ୟାରେ ଥିବା ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଯଥା ସମ୍ଭବ ସାହାଯ୍ୟ କରିବାକୁ ଭରସା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା କାରଣରୁ ଉପୁଜିଥିବା ସ୍ଥିତି ବିଷୟରେ ସେ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ଯଥାସମ୍ଭବ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାହାଯ୍ୟ କରିବାକୁ ଆଶ୍ଵାସନା ଦେଇଛନ୍ତି। ପ୍ରବଳ ବର୍ଷାରେ ପ୍ରଭାବିତ ଲୋକଙ୍କୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଃଖ ପ୍ରକଟ କରିଛନ୍ତି।

ଅନ୍ୟପକ୍ଷେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ ଅଧିକାରୀଙ୍କୁ ହାଇଆଲର୍ଟରେ ରହିବା ଏବଂ ରିଲିଫ ଶିବିରରେ ଶରଣ ନେଉଥିବା ଲୋକଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିବିରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ବାତ୍ୟା କାରଣରୁ ପ୍ରବଳ ବର୍ଷା ଓ ଉପୁଜିଥିବା ବନ୍ୟା ସ୍ଥିତି ଉପରେ ବୁଧବାର ମୁଖ୍ୟମନ୍ତ୍ରୀ ଅମରାବତୀରେ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲା ପ୍ରଶାସନକୁ ବନ୍ୟା ପ୍ରଭାବିତ କ୍ଷେତ୍ରରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.