କୋଟିଆରେ ଘନଘନ ସ୍ୱାସ୍ଥ୍ୟ ସେବା ଯୋଗଉଛନ୍ତି ଆନ୍ଧ୍ର ଡାକ୍ତର, ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିରୋଧୀ

Published By : Prameya-News7 Bureau | February 24, 2021 IST

କୋଟିଆ,୨୪/୦୨: କୋଟିଆରେ ଏକ ପ୍ରକାର ରାଜ ଚଳାଇଛି ଆନ୍ଧ୍ର ପ୍ରଦେଶ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହିତ ଓଡ଼ିଶା ସରକାରଙ୍କ ତାଗିଦକୁ ମଧ୍ୟ ମାନୁନଥିବା ଦେଖାଯାଇଛି ।ମନମାନି କରିବା ସହ କୋଟିଆର କେତେକ ପଞ୍ଚାୟତରେ ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ ଆସି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ।ଏକପ୍ରକାର କୋଟିଆକୁ ସଂପୂର୍ଣ୍ଣ କବଜା କରିବା ଚକ୍କରରେ ରହିଛି ଆନ୍ଧ୍ରପ୍ରଦେଶ ।ଏପଟେ ସୀମା ବିବାଦ ପ୍ରସଙ୍ଗରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା ହୋଇଛି । ବିରୋଧୀ ସରାକରଙ୍କୁ ଘେରିଥିବା ବେଳେ ଏହାର ଉତ୍ତର ରାଜସ୍ବ ମନ୍ତ୍ରୀ   ରଖିଛନ୍ତି ।

ଓଡ଼ିଶାର ବାରଣ ସତ୍ତ୍ୱେ ନିର୍ବାଚନ କରିଛି ଆନ୍ଧ୍ର । ରାସ୍ତାଘାଟ ସହ ବିଜୁଳି ତାର  ଟାଣୁଛି ଆନ୍ଧ୍ର । ଯେଉଁଠି ପାରୁଛି ଫଳକ ଲଗାଉଛି । ଏବେ ଘର ଘର ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଡାକ୍ତର । କୋଟିଆରେ ଆନ୍ଧ୍ରର ଦାଦାଗିରି ଥମିବା ବଦଳରେ ବଢ଼ି ବଢ଼ି ଚାଲିଛି । ଗଞ୍ଜେଇପଦର ସମେତ ତଳଗଞ୍ଜେଇପଦରର ଆନ୍ଧ୍ର ଟିମ୍ ଆସି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । କୋଟିଆ ସୀମାନ୍ତ ସାଲୁର ମଣ୍ଡଳର ତୋନମ୍‌ ପିଏଚସି ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ଘରଘର ବୁଲି ଗାଁ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଦେବା ନାଁରେ ନିଜର ହକ୍‌ ଜମାଉଛନ୍ତି । ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ସୁପ୍ରିମକୋର୍ଟରେ କୋଟିଆ ବିବାଦ ପଡ଼ିବା ପରେ ଆନ୍ଧ୍ର ସ୍ୱାସ୍ଥ୍ୟ କର୍ମୀମାନେ ଘନଘନ କୋଟିଆ ଗସ୍ତ କରୁଛନ୍ତି । ଏଠାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି ସେମାନେ ଅନେକ ଦିନ ଧରି ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ।  

କୋଟିଆରେ ଆନ୍ଧ୍ର ଟିମର ଖୁଲ୍ଲମଖୁଲ୍ଲା ଆତଯାତକୁ  ନେଇ ବିଧାନସଭାରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଆଜି ମୁଲତବୀ ପ୍ରସ୍ତାବ ଆଣିଥିଲେ । ଯାହା ଉପରେ ରାଜସ୍ୱ ମନ୍ତ୍ରୀ ବିବୃତି ରଖିଥିଲେ । ପଡ଼ୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବନି ବୋଲି ମନ୍ତ୍ରୀ କହିଥିଲେ । କୋଟିଆର ୨୧ଟି ପଂଚାୟତ ରାଜ୍ୟ ସରକାରଙ୍କ ଅଧୀନରେ ଅଛି । ପୂର୍ବରୁ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରି ପଞ୍ଚାୟତ ସଭାପତି ଚୟନ କରୁଥିଲା । ଏବେ ଆନ୍ଧ୍ର ନିର୍ବାଚନ କରାଇଛି । ରାଜ୍ୟ ସରକାର ଏ କଥା ସୁପ୍ରିମକୋର୍ଟକୁ ଜଣାଇଛନ୍ତି । ସୁପ୍ରିମକୋର୍ଟ ୪ ସପ୍ତାହ ସମୟ ମାଗିଛନ୍ତି । ରାଜ୍ୟ ସରକାର କୋଟିଆର ଉନ୍ନୟନ ମୂଳକ କାମ କରୁଛନ୍ତି ବୋଲି ରାଜସ୍ୱମନ୍ତ୍ରୀ କହିଛନ୍ତି ।  । ସେପଟେ ବିରୋଧୀ ଦାବି କରିଛନ୍ତି କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ । ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଛନ୍ତି ।

କୋଟିଆ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଏନେଇ ମାମଲା ଚାଲିଛି । ହେଲେ ଏନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.