ନକଲି ସୁନା ଇଟାରେ ୧୪ଲକ୍ଷର ଡିଲ୍, ଗଜପତିରୁ ୫ଜଣଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | December 27, 2019 IST

ପାରଳାଖେମୁଣ୍ଡି ୨୭।୧୨:  ନକଲି ସୁନା ବିକ୍ରି ଅଭିଯୋଗରେ ଗଜପତି ଜିଲ୍ଲାର ୫ଜଣଙ୍କୁ ଉଠାଇ ନେଇଛି ଆନ୍ଧ୍ର ପ୍ରଦେଶର ମନ୍ଦସା ପୋଲିସ । ପୋଲିସ ଉଠାଇନେଇଥିବା ବ୍ୟକ୍ତିମାନେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ତାବରଡ଼ା ଗ୍ରାମର ରୋହିତ ସିଂ, ଉଦୟ ଲିମ୍ମା, ଅତୁଲ୍ୟ ଜେନା, ବିଜୟାନନ୍ଦ, କେ.ଝାଲରସିଂ ଗ୍ରାମର ସାରଥୀ ମାଳି ଏବଂ ରାୟଗଡ଼ ଜିଲ୍ଲା ପୁଟାସିଂ ଗ୍ରାମର ବିବେକ ପାଣି ବୋଲି ଜଣାପଡିଛି । ଘଟଣାରେ ଆଉ ଜଣେ ଫେରାର ଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମନ୍ଦସା ମଣ୍ଡଳ ଅଧୀନ କିଲୋଇ ଗ୍ରାମର ଏସ୍‌.ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ଏମାନେ ନକଲି ସୁନା ବିକ୍ରି କରିବା ଅଭିଯୋଗରେ ଉଠାଇ ନେଇଛି ପୋଲିସ । ଯାହାସୂଚନା ରହିଛି , ପ୍ରଥମେ ଏମାନେ ରାଜୁଙ୍କୁ କିଛି ଅସଲି ସୁନା ଦେଖାଇ ଡିଲ୍‌ କରିଥିଲେ । ୫ କିଲୋର ସୁନା ଇଟା ପାଇଁ ୧୪ ଲକ୍ଷ ଟଙ୍କାର ଡିଲ ହୋଇଥିଲା । ପରେ ସେମାନେ ରାଜୁଙ୍କୁ ଏକ ସୁନା ଇଟା ଦେଇଥିଲେ । ମାତ୍ର ଏହା ନକଲି ବୋଲି ଜଣାପଡ଼ିଥିଲା । ଏନେଇ ରାଜୁ ମନ୍ଦସା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ଏମାନେ ନରସିଂହପୁର ବସ୍‌ଷ୍ଟପ୍‌ ନିକଟରେ ଥିବା ଖବର ପାଇ ମନ୍ଦସା ଥାନା ଏସ୍‌ଆଇ ସି.ଏସ୍‌.ପ୍ରସାଦ ପହଞ୍ଚି ୫ଜଣଙ୍କୁ ଉଠାଇ ନେଇଛନ୍ତି । କିନ୍ତୁ ଏହି ଘଟଣାରେ ପ୍ରବୋଧ ନାମକ ଜଣେ ବ୍ୟକ୍ତି ଖସିଯିବାରେ ସକ୍ଷମ ହୋଇଥିବା ଜଣାପଡିଛି  । ପଚରାଉଚରା ପରେ ସେମାନେ ନକଲି ସୁନା କାରବାର କରିଥିବା ମାନିଥିଲେ । ପୁଲିସ ସେମାନଙ୍କ ନିକଟରୁ ୨ଟି ୫ କିଲୋ ଓଜନର ନକଲି ସୁନା ଇଟା, ୨ ଗ୍ରାମ ସୁନା, ନଗଦ ଲକ୍ଷେ ୭୫ ହଜାର ଟଙ୍କା ଆଦି ଜବତ କରିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.