ଏକାସହ ୧.୨୬ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି
2/10/2019 at 11:46 AM

ବିଜୟଓ୍ବାଡା ୨।୧୦: ଆନ୍ଧ୍ରପ୍ରଦେଶରେ ଏକାସାଙ୍ଗରେ ୧.୨୬ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ଆନ୍ଧ୍ରପ୍ରଦେଶର କ୍ଷମତାସୀନ ଜଗନମୋହନ ସରକାର ଏହି ନିଯୁକ୍ତି ଦେଇଛନ୍ତି । ଏକାସାଙ୍ଗରେ ଏତେ ସଂଖ୍ୟାରେ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଇତିହାସ ସୃଷ୍ଟି କରିଛନ୍ତି ଆନ୍ଧ୍ର ସରକାର । କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନମୋହନ ରେଡ୍ଡୀ ।
ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ଥିବା ୧୧,୧୫୮ଟି ଗ୍ରାମ ଏବଂ ୩,୭୮୬ ଓ୍ବାର୍ଡରେ ପୃଥକ୍ ପୃଥକ୍ ସଚିବାଳୟ ଖୋଲିବାକୁ ଯାଉଛି । ଏହି ସଚିବାଳୟ ଗୁଡିକରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଇଛି । ମୋଟ୍ ୧,୨୬,୭୨୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିପାଇଁ ୨୧ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ ।
ତେବେ ଏହି ପଦବୀରେ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନମୋହନ ରେଡ୍ଡୀ ଗତକାଲି ବିଜୟଓ୍ବାଡାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ସେ କହିଥିଲେ ଯେ, ଏହା ପୂର୍ବରୁ ଏକାସାଙ୍ଗରେ ଏତେ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ମିଳିନଥିଲା । ମାତ୍ର ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଛି ।
ଗ୍ରାମ ଏବଂ ଓ୍ବାର୍ଡ ସଚିବାଳୟଗୁଡିକ ଆସନ୍ତା ଡିସେମ୍ବର ମାସ ପୂର୍ବରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କରିବ ।