କୋଟିଆରେ ଡେରା ପକେଇଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ, ପୁଣି ଥରେ ଆୟୋଜନ କଲେ ଅଭିଯୋଗ ଶୁଣାଣି ଶିବିର

Published By : Prameya-News7 Bureau | September 09, 2021 IST

କୋରାପୁଟ ୯।୯: କୋଟିଆ ପଞ୍ଚାୟତର ନେରେଡିବାଲସାଠାରେ ପୁଣି ଥରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଡେରା ପକେଇଛନ୍ତି । ଆନ୍ଧ୍ରର ସିଏସ‌ଓ ଓ ଏଏସ‌ଓ ସହ କୋଟିଆ ପାଇଁ ଆନ୍ଧ୍ର ତରଫରୁ ଥିବା ପୋଲିସ ଅଧିକାରୀ ଆସି ଲୋକଙ୍କୁ କିପରି ଭାବେ ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଇବେ ତାକୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଛି ଆନ୍ଧ୍ର। ବିଗତ ଦିନରେ ଲୋକମାନେ ଆନ୍ଧ୍ର ତରଫରୁ ଯୋଗାଇ ଦିଆଯାଉଥିବା ରାସନ୍ ବିଳମ୍ବରେ ପହଞ୍ଚୁଥିବାରୁ କିପରି ଗାଁ ଲୋକଙ୍କ ଅତି ନିକଟରେ ପହଞ୍ଚି ପାରିବ ତାକୁ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଗଞ୍ଜେଇ ପଦର, ତଳସେମ୍ବି, ଉପରସେମ୍ବି, ଧୁଳିପଦର, ଫାଟୁସିନେରି, ଫଗୁଣସିନେରି ଗ୍ରାମର ଲୋକଙ୍କ ସହ ମତାମତ ନେଇ ଘଟଣାସ୍ଥଳରେ କିଛି ରାସନ୍ କାର୍ଡ ସଂଶୋଧନ ମଧ୍ୟ କରିଥିଲେ । ଆଗାମୀ ଦିନରେ ଗ୍ରାମବାସୀଙ୍କ ନିକଟରେ କିପରି ରାସନ୍ ପହଞ୍ଚିବ ସର୍ଭେ କରି ବିଭିନ୍ନ ସ୍ଥାନରେ ବିତରଣ କେନ୍ଦ୍ରର ପ‌ଏଣ୍ଟ କରାଯିବ ବୋଲି ଆଲୋଚନା ହୋଇଛି। ଗୁରୁବାର ବିଜୟନଗରମ ଜିଲ୍ଲାର ଖାଦ୍ୟ ଯୋଗାଣ ବିଭାଗର ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ସାଲୁର ସିଆଇ ରୋହିନ କୁମାର ଓ କିଛି ପୋଲିସ କର୍ମଚାରୀ ମଧ୍ୟ ଥିଲେ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହେ ହେଲା କେବେ ପ୍ରଶାସନ ତ କେବେ ପୋଲିସ ପ‌ଇନ୍ତରା ମାରୁଥିବା ଦେଖାଦେଇଛି । ଅନ୍ୟପଟେ ଆନ୍ଧ୍ରର ଏପରିଭାବେ ଲଗାତାର ଓଡ଼ିଶା ସୀମା କୋଟିଆ ଭିତରେ ପସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ ଟେର ନପାଇବାକୁ ଦୃଢ ନିନ୍ଦା କରିଛନ୍ତି ଆମ କୋଟିଆ ସଂଗଠନ ଆବାହକ ଗଦାଧର ପରିଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.