କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲା : ଆଜି ଶେଷ ହୋଇଛି ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା, କାଲି ୧୧ଟା ବେଳେ ପୁଣି ହାଜର ହେବାକୁ ସମନ ଜାରିକଲା NCB

Published By : Prameya-News7 Bureau | October 21, 2021 IST

ମୁମ୍ବାଇ ୨୧/୧୦ : କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାରେ ଘାଣ୍ଟି ହେଉଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆସନ୍ତା ୩୦ ତାରିଖ ଯାଏଁ ଜେଲରେ ରହିବ । ଅକ୍ଟୋବର ୩୦ ତାରିଖରେ ପୁଣିଥରେ ଆର୍ଯ୍ୟନ ସମେତ ୮ ଅଭିଯୁକ୍ତଙ୍କ ଜାମିନ ନେଇ ଶୁଣାଣି ହେବ । ଏହି ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ପଚରାଉଚରା କରିଛି ଏନ୍‌ସିବି । ଗୁରୁବାର ଅନନ୍ୟା ପାଣ୍ଡେଙ୍କୁ ମାରାଥନ୍‌ ଜେରା କରି ଏନ୍‌ସିବି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।

ତେବେ ଆସନ୍ତାକାଲି ଦିନ ୧୧ଟା ବେଳେ ଅନନ୍ୟା ପାଣ୍ଡେଙ୍କୁ ପୁଣିଥରେ ପଚରାଉଚରା ପାଇଁ ଏନ୍‌ସିବି ଅଫିସ ସମନ ଜାରି କରିଛି । ଅର୍ଥାତ ଆସନ୍ତାକାଲି ପୁଣି ହାଜର ହେବେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ଆଜି କ୍ରୁଗ୍‌ ଡ୍ରଗ୍ସ ଲିଙ୍କ ମାମଲାରେ ସମ୍ପୂର୍ଣ୍ଣ ପଚରାଉଚରା ହୋଇନପାରିବାରୁ ଆସନ୍ତାକାଲି ପୁଣି ତାଙ୍କୁ ଡକାଇଛି ନାର୍କୋଟିକ୍ସ କଣ୍ଟୋ୍ରଲ ବ୍ୟୁରୋ ।

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଘାଣ୍ଟି ହେଉଛି ବି-ଟାଉନ୍‌ । ଜଣେ ପରେ ଜଣେ ସେଲିବ୍ରିଟି ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଫସୁଛନ୍ତି । ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବନ୍ଧାହୋଇ ଜେଲରେ ଥିବା ବେଳେ ଏବେ ଏହାର ଖିଅ ଖୋଜିବାରେ ଲାଗିପଡିଛି ଏନ୍‌ସିବି । ଏହି କ୍ରମରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଜେରା କରିଥିଲା ଏନ୍‌ସିବି । ଆର୍ଯ୍ୟନ ସହ ଅନନ୍ୟାଙ୍କ ହ୍ବାଟସ୍‌ଆପ୍‌ ଚାଟକୁ ନେଇ ଖୋଳତାଡ କରୁଛି ତଦନ୍ତକାରୀ ସଂସ୍ଥା ।

ଡ୍ରଗ୍ସ କେସ୍‌ରେ ଏନ୍‌ସିବି ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପଚରାଉଚରା ପାଇଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗୁରୁବାର ସକାଳେ ହିଁ ଏନ୍‌ସିବିର ଏକ ଟିମ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ କରିଥିଲା । କେବଳ ସେତିକି ନୁହେଁ ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତରେ ମଧ୍ୟ ରେଡ୍‌ କରିଥିଲା ଏନ୍‌ସିବି । ସେଠାରେ ଶାହାରୁଖଙ୍କ ମ୍ୟାନେଜରଙ୍କୁ ଆର୍ଯ୍ୟନ ବାବଦରେ ପଚରାଯାଇଥିଲା । ତା ସହିତ ଆର୍ଯ୍ୟନର ଅନ୍ୟ କିଛି ଇଲେକ୍ଟେ୍ରାନିକ୍ସ ଡିଭାଇସ ଅଛି କି ନାହିଁ ସେ ବାବଦରେ ଶାହାରୁଖଙ୍କୁ ପଚରାଉଚରା କରିଥିଲା ଏନ୍‌ସିବି ।

ଆର୍ଯ୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା କିଛି ହ୍ବାଟସ୍‌ଆପ୍‌ ଚାଟ୍‌କୁ ନେଇ ଅନନ୍ୟାଙ୍କୁ ଜେରା କରିଥିଲା ଏନ୍‌ସିବି । ଉକ୍ତ ଚାଟ୍‌ରେ ଡ୍ରଗ୍ସ ବାବଦରେ ଅନନ୍ୟା ଏବଂ ଆର୍ଯ୍ୟନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ଏନ୍‌ସିବି ଜାଣିବାକୁ ପାଇଥିଲା । କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଥିବା ଜଣାପଡିଛି । ସେଥିପାଇଁ ଅଧିକ ପଚରାଉଚରା ପାଇଁ ଅନନ୍ୟାଙ୍କୁ ଏନ୍‌ସିବି ଅଫିସ ଡକାଯାଇଥିଲା ।

ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ ହିଁ ଅନନ୍ୟା ପାଣ୍ଡେଙ୍କୁ ଜେରା କରୁଛନ୍ତି । ଯିଏକି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିଲେ । ସିଙ୍ଘମ ଅଫିସର ସମୀର ଓ୍ବାଙ୍ଖେଡେ ବଲିଉଡର ବଡ ବଡ ସେଲିବ୍ରିଟିଙ୍କୁ ଡ୍ରଗ୍ସ ଲିଙ୍କରେ ଜେରା କରିସାରିଛନ୍ତି । ଏବେ ସାହାରୁଖଙ୍କ ପୁଅ ଆର୍ଯ୍ୟନର କେସ୍‌ ମଧ୍ୟ ନିଜେ ତଦନ୍ତ କରୁଛନ୍ତି ସମୀର । ଏହା ବାଦ ଏବେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରୁଛନ୍ତି ସମୀର ଓ୍ବାଙ୍ଖେଡେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.