ବଜେଟ୍ ପୂର୍ବରୁ ନୂତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ନିଯୁକ୍ତ, ଡ. ଭି. ଅନନ୍ତ ନାଗେଶ୍ଵରଙ୍କୁ ମିଳିଲା ଦାୟିତ୍ଵ

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮।୦୧: ବଜେଟ୍ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ କେନ୍ଦ୍ର ସରକାର ନୂତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଡ. ଭି. ଅନନ୍ତ ନାଗେଶ୍ଵରଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ସେ ତତ୍କାଳ ପ୍ରଭାବରୁ ଦାୟିତ୍ଵ  ଗ୍ରହଣ କରିଛନ୍ତି।

ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଏହାର ଠିକ୍ ପୂର୍ବରୁ ନାଗେଶ୍ଵରଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରେ ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଦିନ ସଂସଦରେ ଆର୍ଥିକ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରାଯିବ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ସାଧାରଣ ବଜେଟ୍ ଫେବୃଆରୀ ୧ରେ ସଂସଦରେ ଉପସ୍ଥାପନ କରିବେ।

ଅନନ୍ତ ନାଗେଶ୍ଵର ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ସାମୟିକ ସଦସ୍ୟ ରହିଥିଲେ। ଏହା ବ୍ୟତୀତ ସେ ଏକାଧାରାରେ ଜଣେ  ଲେଖକ, ଶିକ୍ଷକ ଏବଂ ପରାମର୍ଶଦାତା। ସେ ଭାରତର ଖ୍ୟାତାନାମା ବିଜନେସ୍ ସ୍କୁଲ ଏବଂ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ର ଫେକଲ୍ଟି ରହି ସାରିଛନ୍ତି। ଏଥିସହ ସିଙ୍ଗାପୁରର ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ସାରିଛନ୍ତି।

ସେ ଆଇଏଫଏମଆର ଗ୍ରାଜୁଏଟ୍ ସ୍କୁଲ୍ ଅଫ ବିଜନେସ୍‌ର ଡିନ୍ ଥିଲେ। ଏହା ବ୍ୟତୀତ Krea University ରେ ଅର୍ଥନୀତିରେ ଅତିଥି ପ୍ରଫେସର ଥିଲେ। ସେ ଭାରତୀୟ ପ୍ରବନ୍ଧନ ସଂସ୍ଥା, ଅହମ୍ମଦାବାଦ ଆଇଆଇଏମ-ଏରୁ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ଏହା ବ୍ୟତୀତ ନାଗେଶ୍ଵର ମାସାଚ୍ୟୁଟେସସ୍ ୟୁନିଭର୍ସିଟିରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.