Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା କାଲି(ସେପ୍ଟେମ୍ବର ୧୨ତାରିଖ) ପବିତ୍ର ଅନନ୍ତ ଚତୁର୍ଦ୍ଦଶୀ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଏବଂ ପୂଜାବିଧି

ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେଉଥିବା ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୧୨ତାରିଖରେ ପଡ଼ୁଛି। ଏହି ଦିନ ଗଣପତିଙ୍କ ବିସର୍ଜନ ସହିତ ଗଣେଶ ଉତ୍ସବ ମଧ୍ୟ ସମାପନ କରାଯିବ। ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଥିବା ଏହି ବ୍ରତ ପ୍ରତି ବର୍ଷ ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ କରାଯାଇଥାଏ। ଏଥର ଅନନ୍ତ ଚତୁର୍ଦ୍ଦଶୀ ଗୁରୁବାର ପଡ଼ୁଥିବାରୁ ଏହି ବ୍ରତର ମହତ୍ତ୍ବ ଅଧିକ ।

ଅନନ୍ତ ଚତୁର୍ଦ୍ଦଶୀ ଦିନ ଶ୍ରୀହରିଙ୍କ ପୂଜା ପରେ ପୁରୁଷମାନେ ଡାହାଣ ହାତରେ ଏବଂ ମହିଳାମାନେ ବାମ ହାତରେ ଅନନ୍ତ ବ୍ରତସୂତ୍ର ଧାରଣ କରିଥାଆନ୍ତି। ବିଶ୍ବାସ ରହିଛି ଯେ ଲଗାତର ୧୪ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ କରିବା ଦ୍ବାରା ଭକ୍ତଙ୍କର ସମସ୍ତ ଦୁଃଖ କଷ୍ଟ ନିବାରଣ ହୋଇଯାଇଥାଏ। କେବଳ ଏତିକି ନୁହେଁ,ଏପରି କରିବା ଦ୍ବାରା ବ୍ରତଧାରୀଙ୍କ ପରଲୋକପରେ ବିଷ୍ଣୁଲୋକ ପ୍ରାପ୍ତି ହୋଇଥାଏ । ଅନନ୍ତ ଚତୁର୍ଦ୍ଦଶୀ ଦିନ ଶ୍ରଦ୍ଧାଳୁ ଦିନରେ କେବଳ ଥରେ ବିନା ଲୁଣରେ ଭୋଜନ କରିବାକୁ ପଡ଼ିଥାଏ।

ଅନନ୍ତ ବ୍ରତସୂତ୍ର ରାକ୍ଷୀ ସୂତା ଭଳି ଏକ ଖାସ୍ ରଙ୍ଗର ସୂତା ହୋଇଥାଏ ଯେଉଁଥିରେ ୧୪ଟି ଗଣ୍ଠି ହୋଇଥାଏ। ଏହି ବ୍ରତକୁ ଘରେ କିମ୍ବା ମନ୍ଦିରରେ କରାଯାଇଥାଏ। ଅନନ୍ତ ଚତୁର୍ଦ୍ଦଶୀର କଥା ଅନୁସାରେ ପ୍ରାଚୀନ କାଳରେ ସୁମନ୍ତ ନାମକ ଜଣେ ଋଷି ଥିଲେ। ତାଙ୍କ ପତ୍ନୀଙ୍କ ନାଁ ଦୀକ୍ଷା ଥିଲା। ଉଭୟଙ୍କର ଜଣେ ପରମ ସୁନ୍ଦରୀ କନ୍ୟା ଥିଲେ ଯାହାଙ୍କ ନାଁ ସୁଶୀଳା ଥିଲା। ସୁଶୀଳା ଟିକେ ବଡ଼ ହେବା ବେଳକୁ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା। ପତ୍ନୀଙ୍କ ମୃତ୍ୟୁ ପରେ ସୁମନ୍ତଙ୍କୁ ନିଜ ଝିଅର ଲାଳନପାଳନର ଚିନ୍ତା ହୋଇଥିଲା। ସେଥିପାଇଁ ସେ କର୍କଶା ନାମ୍ନୀ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ।

କିଛି ବର୍ଷ ପରେ ସୁଶୀଳାଙ୍କ ବିବାହ କୌଣ୍ଡେୟ ଋଷିଙ୍କ ସହ କରି ଦେଇଥିଲେ । କୌଣ୍ଡେୟ ଋଷି ଅତ୍ୟନ୍ତ ନିର୍ଦ୍ଧନ ଥିଲେ ଏବଂ ତାଙ୍କ ଜୀବନରେ ସବୁବେଳେ ଦୁଃଖ କଷ୍ଟ ଲାଗି ରହିଥିଲା। ତାଙ୍କ ଜୀବନ କଷ୍ଟରେ କଟୁଥିଲା। ସେହି ସମୟରେ ସୁଶୀଳା ଜଙ୍ଗଲରେ ବୁଲୁଥିବାବେଳେ ଦେଖିଥିଲେ ଯେ କିଛି ସ୍ତ୍ରୀଲୋକେ କୌଣସି ଦେବତାଙ୍କୁ ପୂଜା କରୁଥିଲେ। ସୁଶୀଳା ସେମାନଙ୍କୁ ଏବିଷୟରେ ପଚାରିବାରୁ ସେମାନେ ତାଙ୍କୁ ଅନନ୍ତ ଚତୁର୍ଦ୍ଦଶୀର ମହତ୍ତ୍ବ ବିଷୟରେ କହିଥିଲେ। ଏହା ପରେ ସୁଶୀଳା ଏହି ବ୍ରତ ଅନୁଷ୍ଠାନ କରିଥିଲେ ଏବଂ ୧୪ଗାଣ୍ଠିର ସୂତା ବାନ୍ଧି କୌଣ୍ଡେୟ ଋଷିଙ୍କ ପାଖକୁ ଆସିଥିଲେ।

ଧୀରେ ଧୀରେ ଉଭୟଙ୍କର ଜୀବନ ପରିବର୍ତ୍ତନ ହୋଇଥିଲା। ଥରେ କୌଣ୍ଡେୟ ଋଷି ଏହି ସୂତା ଦେଖି ଏହା ବିଷୟରେ ସୁଶୀଳାଙ୍କୁ ପଚାରିଥିଲେ। ସୁଶୀଳା ତାଙ୍କୁ ସବୁ କଥା କହିଥିଲେ। ଏହା ପରେ କୌଣ୍ଡେୟ ଋଷି କ୍ରୋଧିତ ହୋଇ ତାଙ୍କ ସୂତାକୁ ଛିଣ୍ଡାଇ ଦେଇଥିଲେ। ତା’ପରେ ପୁଣି ସେମାନେ ଦରିଦ୍ର ହୋଇଯାଇଥିଲେ।

କୌଣ୍ଡେୟ ଯେତେବେଳେ ସୁଶୀଳାଙ୍କୁ ଏହା ବିଷୟରେ ପଚାରିଥିଲେ ସେତେବେଳେ ସୁଶୀଳା କହିଥିଲେ ଯେ ଭଗବାନ ଅନନ୍ତଙ୍କ ଅପମାନ କରିବା ଯୋଗୁଁ ଏସବୁ ହେଉଛି। ଏହା ପରେ କୌଣ୍ଡେୟ ନିଜର ଭୁଲ୍ ବୁଝି ପାରିଥିଲେ। କୌଣ୍ଡେୟ ୧୪ବର୍ଷ ଯାଏଁ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ କରିଥିଲେ। ଏହା ଦ୍ବାରା ହରି ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କର ଜୀବନ ପୁଣି ଥରେ ସୁଖକର ହୋଇଥିଲା। ବିଶ୍ବାସ ରହିଛି ଯେ ମହାଭାରତ କାଳରେ ଭଗବାନ ଶ୍ରୀକୃଷ୍ଣଙ୍କ କଥା ଶୁଣି ଯୁଧିଷ୍ଠିର ଅନନ୍ତ ବ୍ରତ କରିଥିଲେ ଯାହା ପ୍ରଭାବରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ ।

ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ଦିନର ଯେକୌଣସି ସମୟରେ କରାଯାଇପାରିବ। ତେବେ ସକାଳେ କିମ୍ବା ଦ୍ବିପ୍ରହର ପୂର୍ବରୁ ଏହା କରିବା ଉତ୍ତମ ହୋଇଥାଏ। ଏହି ବ୍ରତ ଦିନ ଅଟାରେ ରୁଟି କିମ୍ବା ପୁରୀ କରାଯାଇଥାଏ। ଯାହାର ଅଧା ଭାଗ ବ୍ରାହ୍ମଣଙ୍କୁ ଦାନ କରାଯାଇଥାଏ।   

354 Views

   ସମ୍ବନ୍ଧିତ ଖବର