Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ବିଦେଶ ଚାକିରୀର ମୋହ ଛାଡିଲେ ଯୁବକ, ବାଂଟୁଛନ୍ତି ଜ୍ଞାନର ଆଲୋକ

5/09/2018 at 5:00 PM

ଆନନ୍ଦପୁର୫|୯: ଆଜି ଗୁରୁ ଦିବସ । ହେଲେ ଗୁରୁ ପାଳୁଛନ୍ତି କଳା ଦିବସ । କାହିଁକି ଆଜି ଏମିତି ପରିସ୍ଥିତି ? କିଏ ଏଥି ପାଇଁ ଦାୟୀ ? ସରକାରଙ୍କ ଅବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ବିଦ୍ୟାଳୟରେ ପଶିଯାଇଛି ରାଜନୀତି । ଯେଉଁଥି ପାଇଁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି, ଆଉ ପିଲାଏ ମଣିଷ ହେବା ପରିବର୍ତ୍ତେ ଅମଣିଷ ହୋଇ ଯାଉଛନ୍ତି । ତେବେ ଏମିତି ବି କିଛି ଯୁବକ ଅଛନ୍ତି, ଯିଏ ନିଜ ଗାଁର ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ଯାଇ ବିଦେଶ ଚାକିରିକୁ ତୁଚ୍ଛ କରି ଦେଇଛନ୍ତି । ଦେଖନ୍ତୁ ନ୍ୟୁଜ୍ ସେଭେନ୍ ଏକ୍ସକ୍ଲୁସିଭ୍ ରିପୋର୍ଟ .
ଆନନ୍ଦପୁରର କୋଳିମାଟି ଗାଁ । ଗାଁର ଅଧିକାଂଶ ଲୋକ ଆଦିବାସୀ । କିଏ ଚାଷ କରି ତ କିଏ ମୂଲ ଲାଗି, ପୁଣି କିଏ ଗୋରୁଗାଈ, ଛେଳିମେଣ୍ଢା ରଖି ପରିବାର ପ୍ରତିପୋଷଣ କରିଥାନ୍ତି । ଯେଉଁଠି ପରିବାର ପାଇଁ ଦି ଓଳି ଦି ମୁଠା ଖାଇବା ସଂଗ୍ରହ କରିବା ଏମାନଙ୍କ ପାଇଁ କାଠିକର, ସେଠି ପିଲାମାନଙ୍କ ପାଠପଢ଼ା କଥା ବା କିଏ ପଚାରେ ? ହେଲେ ଗାଁର ପରିସ୍ଥିତିକୁ ବୁଝିଛନ୍ତି ଗାଁର କିଛି ଶିକ୍ଷିତ ପିଲା ।


ଗାଁର ଶିକ୍ଷିତ ପିଲାଏ ଗଢ଼ିଛନ୍ତି ଅଲିଭା ଦୀପ ଯୁବ ଶିକ୍ଷା ସଂଘ । ଆଉ ଗାଁ ସ୍କୁଲରେ ଗାଁ ପିଲାଙ୍କୁ ପଢ଼ାଉଛନ୍ତି । ସ୍କୁଲକୁ ଯିବା ପୂର୍ବରୁ ଏବଂ ସ୍କୁଲ ଛୁଟି ପରେ ଗାଁଟା ଯାକର ପିଲା ଏଠି ମାଗଣାରେ ଶିକ୍ଷା ଲାଭ କରୁଛନ୍ତି ବୋଲି କହିଛନ୍ତି କୋଳିମାଟିର ଜଣେ ଛାତ୍ରୀ-ରଶ୍ମିରେଖା ନାଇକ
ଦିନେ ଯେଉଁ ଗାଁର ପିଲାମାନେ ଦର ପାଠୁଆ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ, ଏବେ ସେହି ଗାଁର ପିଲାମାନେ ନବୋଦୟ ଏବଂ ଆଦର୍ଶ ବିଦ୍ୟାଳୟରେ ପଢ଼ିଲେଣି । ତେବେ ଏସବୁ କେବଳ ସମ୍ଭବ ହୋଇ ପାରିଛି ଏହି ଯୁବକଙ୍କ ପାଇଁ । ସୌରଜିତ୍ ନାଇକ୍ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ପାସ୍ କରି କାତାରରେ ଚାକିରି କରିଥିଲେ । କିନ୍ତୁ ଗାଁ ପିଲାଙ୍କୁ ମଣିଷ କରିବା ନିଶାରେ ମୋଟା ଅଙ୍କର ଦରମାର ଚାକିରିକୁ ସେ ତୁଚ୍ଛ କରି ଦେଇଛନ୍ତି । ଗାଁର ଅନ୍ୟ ଶିକ୍ଷିତ ପିଲାଙ୍କୁ ସାଥୀ କରି ସୌରଜିତ୍ ନେଇଛନ୍ତି ଅଲିଭା ଦୀପ ଯୁବ ଶିକ୍ଷା ସଂଘର ନେତୃତ୍ବ ।
ଶିକ୍ଷା ଦାନ ଏକ ମହତ କାମ । ସରକାରୀ ଅବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ଏବେ ବିଦ୍ୟାଳୟରେ ରାଜନୀତି ପଶି ଯାଇଥିବାରୁ ଗୁରୁ ନିଜେ ନିଜର ଗୁରୁତ୍ବ ହରାଇଛନ୍ତି । କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଭିତ୍ତିଭୂମି ନାହିଁ । ଏଭଳି ସ୍ଥିତିରେ ସୌରଜିତ୍ ନାଇକ୍ ଏବଂ ସାଥୀମାନେ ନେଇଥିବା ପଦକ୍ଷେପ ନିହାତି ପ୍ରଶଂସାଯୋଗ୍ୟ । ଏମାନଙ୍କୁ ଦେଖି ଆଖପାଖ ଗାଁର କିଛି ଶିକ୍ଷିତ ଯୁବକ ମଧ୍ୟ ସେମାନଙ୍କ ଗାଁରେ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି ।

   Related Posts