ୟୁପି ସରକାରଙ୍କୁ ଅନ୍ଧାରରେ ରଖି ୨୫ଟି ବିଦ୍ୟାଳୟରେ ପଢାଇ କମାଇଲେ ୧ କୋଟି, ପୋଲିସ ହାତରେ ଧରା ପଡିଲେ ଶିକ୍ଷୟତ୍ରୀ
6/06/2020 at 4:43 PM

କାସଗଞ୍ଜ ୦୬।୦୬: ଉତ୍ତର ପ୍ରଦେଶରେ ୨୫ଟି ବିଦ୍ୟାଳୟରେ ପାଠ ପଢାଇ ଏବଂ ୧୩ ମାସରେ ୧ କୋଟି ଟଙ୍କା ଦରମା ନେଇ ଦେଶରେ ଚହଳ ସୃଷ୍ଟି କରିଥିବା ଶିକ୍ଷୟତ୍ରୀ ଅନାମିକା ଶୁଳ୍କାଙ୍କୁ ଶନିବାର କାସଗଞ୍ଜ ପୋଲିସ ଗିରଫ କରିଛି। କାସଗଞ୍ଜ ଜିଲ୍ଲାର ଥାନା ସୋରୁ କୋତଓ୍ଵାଲିର ଇନ୍ସପେକ୍ଟର ରିପୁଦମନ ସିଂହ କହିଛନ୍ତି, ଅନାମିକା ଶୁକ୍ଳା ଏକ ସଙ୍ଗେ ୨୫ ଜିଲ୍ଲାରେ କାଗଜପତ୍ରରେ ଜାଲିଆତି କରି ଚାକିରି କରିବା ଏବଂ ବେତନ ନେବା ନେଇ ଅଭିଯୋଗ ହୋଇଛି। ତାଙ୍କୁ ପୋଲିସ୍ ଏବେ ଜେରା କରୁଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ୨୫ ଜିଲ୍ଲାରେ ଚାକିରି କରୁଥିବା ଅଭିଯୁକ୍ତ ଶିକ୍ଷୟତ୍ରୀ ଅନାମିକା ଶୁକ୍ଳା ଶନିବାର କାସଗଞ୍ଜ ଜିଲ୍ଲାକୁ ଇସ୍ତଫା ପତ୍ର ଦେବାକୁ ଆସିଥିଲେ। ସୂଚନା ମିଳିବା ମାତ୍ରେ କାସଗଞ୍ଜ ପୋଲିସ୍ ତାଙ୍କୁ ଗିରଫ କରିଛି। ବିଏସଏ ଅଞ୍ଜଳି ସିଂହ ଅନାମିକାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଯାହାରି ଆଧାରରେ ପୋଲିସ ଏଫଆଇଆର ରୁଜୁ କରିଛି। ପୋଲିସ ଅନୁଯାୟୀ ଅନାମିକା ନିଜ ପିତାଙ୍କ ନାମ ରାଜେଶ କହିଛନ୍ତି।
ସୂତ୍ର ଅନୁଯାୟୀ, ପୋଲିସ୍ ହେପାଜତରେ ଥିବା ଅନାମିକ ଶୁକ୍ଳା କହିଛନ୍ତି, ବର୍ତ୍ତମାମନ ଗୋଣ୍ଡାରେ ସେ ବିଏଡ କରୁଛନ୍ତି। ତାଙ୍କୁ ଏହି ଚାକିରି ମେନପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ନାମ ରାଜା। କାସଗଞ୍ଜ ଜିଲ୍ଲାର ଥାନା ସୋରୁ କତଓ୍ଵାଲି ଇନ୍ସପେକ୍ଟର ରିପୁଦମନ ସିଂହ କହିଛନ୍ତି ଆରୋପି ଶିକ୍ଷୟତ୍ରୀଙ୍କ ସହ ପଚରାଉଚୁରା ଜାରି ରହିଛି। ଶିକ୍ଷୟତ୍ରୀଙ୍କ କଥାକୁ ଯାଞ୍ଚ କରାଯିବ।

ଋଉଲ୍ଲେଖଯୋଗ୍ୟ, ମେନପୁରୀର ଅନାମିକା ଶୁକ୍ଳାଙ୍କ ପୋଷ୍ଟିଂ ପ୍ରୟାଗରାଜ, ଆମ୍ଵେଦକରନଗର, ଅଲିଗଡ, ସହାରନପୁର, ବାଗପତ ସହିତ ଅନ୍ୟ ଜିଲ୍ଲାର କେଜିବିଭି ସ୍କୁଲରେ ହୋଇଛି। ଏହି ସବୁ ବିଦ୍ୟାଳୟରେ ନିଯୁକ୍ତି ଚୁକ୍ତିଭିତ୍ତିକ ଆଧାରରେ ହୋଇଥାଏ। ପ୍ରତି ମାସରେ ଦରମା ୩୦ ହଜାର ଟଙ୍କା ରହିଥାଏ। ୧୩ ମାସରେ ଶିକ୍ଷୟତ୍ରୀ ଜଣକ ୧ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ବେଳେ ଏହି ଜାଲିଆତି ମାମଲା ସାମ୍ନାକୁ ଆସିଥିଲା।