ଭାରସାମ୍ୟ ହରାଇ ଖସିପଡିଲା L-410 ଟର୍ବୋଲେଟ୍‌ ବିମାନ : ୧୬ ଜଣଙ୍କ ମୃତ୍ୟୁ, ୭ ଗୁରୁତର

Published By : Prameya-News7 Bureau | October 10, 2021 IST

ମୋସ୍କୋ ୧୦/୧୦ : ଋଷର ଟାଟାରଷ୍ଟନ୍‌ ଅଞ୍ଚଳରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ‘L-410 ଟର୍ବୋଲେଟ୍‌’ ନାମକ ବିମାନର ଯାନ୍ତ୍ରିକ ତୃଟି କାରଣରୁ ଭାରସାମ୍ୟ ହରାଇ ଖସିପଡିବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଋଷ ମିଡିଆ RIA ନ୍ୟୁଜ୍‌ ମୁତାବକ ବିମାନଟି ପ୍ରାୟ ୨୩ ଜଣଙ୍କୁ ଧରି ଯାତ୍ରା କରୁଥିବାବେଳେ ଦୁର୍ଘଟଣା ହୋଇଥିବା ନେଇ ଜଣାଇଛି ।  

{"width":775,"height":406}
Image

ମିଳିଥିବା ସୂଚନା ଅନୁସାରେ, ବିମାନଟି କିଛି ପାରାଚ୍ୟୁଟ୍‌ ଜମ୍ପରଙ୍କୁ ନେଇ ଯାଉଥିଲା । ଋଷର ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରସାମ୍ୟ ହରାଇ ‘L-410 ଟର୍ବୋଲେଟ୍‌’ ନାମକ ବିମାନ ଖସିପଡିଥିଲା । ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ‘L-410 ଟର୍ବୋଲେଟ୍‌’ ଏକ ଡବଲ ଇଞ୍ଜିନ୍‌ ସ୍ବଳ୍ପ ଦୂରଗାମୀ ପରିବହନ ବିମାନ ।

ତେବେ ଋଷର ଉନ୍ନତମାନର ଜ୍ଞାନ କୌଶଳ ଥାଇ ମଧ୍ୟ ବାରମ୍ବାର ବିମାନ ଦୁର୍ଘଟଣା ସରକାରଙ୍କ ଚିନ୍ତା ବଢାଇଦେଇଛି । ଗତ କିଛି ବର୍ଷ ହେଲା ଋଷିଆନ୍‌ ବିମାନ ଚଳାଚଳ ମନ୍ତ୍ରାଳୟ ଖୁବ ବିକଶିତ ହୋଇଛି । ତଥାପି ଦୁର୍ଘଟଣା ବୃଦ୍ଧିପାଉଛି । ଗତ ମାସରେ An-26 ନାମକ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଗତ ଜୁଲାଇ ମାସରେ କାମଚାଟ୍‌କା An-26 ଦୁଇ ଇଞ୍ଜିନ୍‌ ବିଶିଷ୍ଟ ଏକ ବିମାନ ଦୁର୍ଘଟଣା ଘଟିବା ଫଳରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.