କରୋନା ଆକ୍ରାନ୍ତ କନିକା କପୁରଙ୍କ ନାମରେ ଏଫ୍ଆଇଆର୍, ଲଣ୍ଡନରୁ ଆସିଥିଲେ କିନ୍ତୁ ବିମାନ ବନ୍ଦରରେ ଯାଞ୍ଚକୁ ଠକି ଥିଲେ

Published By : Prameya-News7 Bureau | March 20, 2020 IST

ଲକ୍ଷ୍ନୌ୨୦/୩: ଲୁଚାଇଥିଲେ ଏବେ ଫଶିଲେ। ବଲିଉଡ୍ ଗାୟିକା କନିକା କପୁରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ପାଇଁ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ଦେଇଛନ୍ତି ଲକ୍ଷ୍ନୌ ଜିଲ୍ଳା ମାଜିଷ୍ଟ୍ରେଟ୍। କାରଣ କରୋନ ସଂକ୍ରମିତ ହୋଇ ମଧ୍ୟ କନିକା ତାହା ଲୁଚାଇଥିଲା। ଲଣ୍ଡନରୁ ଫେରିଥିବା କନିକା କରୋନା ସଂକ୍ରମଣକୁ ଲୁଚାଇ ଲକ୍ଷ୍ନୌରେ ଏକ ପାର୍ଟିରେ ବହୁ ଲୋକଙ୍କ ସହ ମିଶିଥିଲେ। ସେହି ପାର୍ଟିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏପରି କି ସେହି ପାର୍ଟିରେ ସାମିଲ ଥିବା ବିଜେପି ସାଂସଦ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ସିଂହ ତା ପର ଦିନ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏଣୁ କରୋନା ସଂକ୍ରମଣର ଆଶଙ୍କା ନେଇ ଶତାଧିକ ଲୋକ ଆତଙ୍କିତ। ତେଣୁ ଏଥିପାଇଁ କନିକାଙ୍କୁ ଦାୟି କରି ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ ଆତଙ୍କ ଖେଳାଇଛନ୍ତି ବଲିଉଡ୍‌ ବେବି ଡଲ୍ ଫେମ୍ କନିକା କପୁର । କନିକା କପୁର ବିଦେଶରୁ ରୋଗ ଧରି ଆସିଲେ, ଆଉ ଅନ୍ୟମାନଙ୍କ ଭିତରେ ବାଣ୍ଟିଲେ । କନିକା କପୁର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ ୧୫ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌକୁ ଫେରିଥିଲେ । କିନ୍ତୁ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କର କରୋନା ଚେକିଂ ହୋଇନଥିଲା ।ବରଂ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ହାତ କରି  ସେ ୱାସରୁମ୍‌ରେ ଲୁଚି ବାହାରି ଯାଇଥିଲେ । ଏହାପରେ ସେ ରବିବାର ଦିନ ଲକ୍ଷ୍ନୌର ଗାଲେଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଉତ୍ତରପ୍ରଦେଶ ସରକାରର ବଡ଼ ବଡ଼ ଅଫିସର ଓ ନେତାମାନେ ସାମିଲ ହୋଇଥିଲେ।

କନିକାଙ୍କ ପାର୍ଟିରେ ସାମିଲ ନେତାଙ୍କ ମଧ୍ୟରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଏବଂ ତାଙ୍କ ମାଆ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ମଧ୍ୟ ଥିଲେ ।ଏହି ଘଟଣା ଜଣାପଡ଼ିବା ପରେ କନିକା କପୁରଙ୍କୁ ଲକ୍ଷ୍ନୌରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଦୁଷ୍ୟନ୍ତ ସିଂହ ଓ ଏବଂ ବସୁନ୍ଧରା ରାଜେ ସିନ୍ଧିଆ ନିଜକୁ ହୋମ୍ ଆଇସୋଲେସନ୍‌ରେ ରଖିଛନ୍ତି ।ଏନେଇ ବସୁନ୍ଧରା ରାଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଆଉ ଏକ ବଡ଼ ଚିନ୍ତାଜନକ ବିଷୟ ହେଲା ଦୁଷ୍ୟନ୍ତ ସିଂହ ଏହି ପାର୍ଟିରେ ଯୋଗ ଦେବାପରେ ପାର୍ଲାମେଣ୍ଟ ଅଧିବେଶନରେ ଯୋଗ ଦେଇଥିଲେ ।ତେଣୁ ଯଦି କନିକା କପୁରଙ୍କ ଠାରୁ ଦୁଷ୍ୟନ୍ତ ସିଂହଙ୍କୁ କରୋନା ସଂକ୍ରମଣ ହୋଇଥାଏ ତେବେ ଏହା ପରେ ପାର୍ଲାମେଣ୍ଟରେ ଅନ୍ୟ ସାଂସଦଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି ।ଏପରି ସ୍ଥିତିରେ ସଂସଦ ଅଧିବେଶନକୁ ମୁଲତବୀ ରଖିବାକୁ କେତେକ ସାଂସଦ ଦାବି କରିଛନ୍ତି ।ତେବେ ବାଚସ୍ପତି ଏନେଇ କିଛି ସ୍ପଷ୍ଟ ମତାମତ ରଖିନାହାନ୍ତି । ଭାରତରେ କରୋନା ରୋକିବାକୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ କନିକା କପୁର ବିଦେଶରୁ ଆସି ଚେକିଂ ନ ହେବା ଏବଂ ଅନ୍ୟମାନଙ୍କ ସହ ପାର୍ଟି କରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆଉ ଏବେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.