ଏକ ନିଆରା ପ୍ରେମ ବନ୍ଧନ- ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କରିବାରୁ ତଡିଦେଲେ ଘର ଲୋକ, ହେଲେ ଏବେବି ଅତୁଟ ପ୍ରେମର ନିଦର୍ଶନ ଏହି ଦମ୍ପତି

Published By : Prameya-News7 Bureau | September 29, 2019 IST

ଯାଜପୁର ୨୯।୦୯ (ସୁରେନ୍ଦ୍ର ସାମଲଙ୍କ )- ଆଜି ଏ ସ୍ଵାର୍ଥ ପର ଦୁନିଆରେ ଦେଖିବାକୁ ମିଳିଛି ବିରଳ ମାନବିକତା । ବର୍ତମାନ   ମଣିଷମାନଙ୍କ ପାଖରେ  ଦୟା ,କ୍ଷମା ଆଦି ଶବ୍ଦ ଗୁଡିକ  ଲୋପ ପାଇଯାଇଥିବା ବେଳେ ଆମେ ଏପରି ଏକ ବ୍ୟକ୍ତିତ୍ଵର ସନ୍ଧାନ ପାଇଛୁ । ଯିଏକି ନିଜର ସବୁ ସ୍ଵପ୍ନ କୁ ପଛରେ ପକାଇ ନିଜ ଆଖିରେ ଅନ୍ୟ କାହାକୁ  ଦୁନିଆ ଦେଖେଇବାକୁ ନେଇଛନ୍ତି ବଜ୍ର ଶପଥ । ଏଥିପାଇଁ ତାଙ୍କୁ ହରାଇବାକୁ ପଡିଛି ଅନେକ କିଛି । ଏପରିକି ନିଜ ପରିବାରରୁ ମଧ୍ୟ ବାସନ୍ଦ ହେବାକୁ ପଡିଛି ତାଙ୍କୁ । ତଥାପି ହାର ମାନିନାହାନ୍ତି ସିଏ । ଏହି ବିରଳ ବ୍ୟକ୍ତିତ୍ଵ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥ ପୁର ଜୁଇନ୍ଦା ଗ୍ରାମର ରାଜକିଶୋର ସାହୁ  ।  ଦୃଷ୍ଟି ଶକ୍ତି ହରାଇଥିବା ଝିଅକୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିବା ପରେ ଅନେକ ଦୁଖ କଷ୍ଟ ପାଇଲା ପରେ ମଧ୍ୟ ଉଭୟ ଦମ୍ପତିଙ୍କ ଭିତରେ ରହିଥିବା ପ୍ରେମ ବର୍ତମାନ ସମାଜ ପାଇଁ ହୋଇଛି ବଡ ଉଦାହରଣ 

{"id":164347,"width":573,"height":323}

ରାଜକିଶୋର ସାହୁ ହେଉଛନ୍ତି ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଜୁଇନ୍ଦା ଗ୍ରାମର ବିଶ୍ଵନାଥ ସାହୁଙ୍କ ପୁତ୍ର ।  ବାଲିଯାତ୍ରା ମେଳାରେ ଦେଖାହୁଏ ଜନ୍ମରୁ ୬ ମାସ ପରେ ଦୃଷ୍ଟି ଶକ୍ତି ହରାଇଥିବା ମାନସୀଙ୍କ ସହ ରାଜକିଶୋରଙ୍କର । ଆଉ ସେଇଠାରେ ମାନସୀଙ୍କର ଅସହାୟତା ଅବସ୍ଥାରେ ସାହାଯ୍ୟର ହାତବଡାଇଥିଲେ  ରାଜକିଶୋର । ସାଙ୍ଗ ସାଥି ପରିବାର ସଦସ୍ୟ ଙ୍କ ବାରଣ ପରେ ବି ବିବାହ କରନ୍ତି ମାନସୀକୁ । ଯାହା ଦ୍ଵାରା ପରିବାରରୁ ବିତାଡିତ ହେବାକୁ ପଡେ ରାଜକିଶୋରଙ୍କୁ । ଏହା ପର ଠାରୁ ଦୁଃଖ ବଢିଯାଇଛି  ତାଙ୍କର  । ଉଭୟ ପତି ପତ୍ନୀ  ଶ୍ଵଶୁର ଘର ଚାନ୍ଦକୁଡା ଗ୍ରାମରେ  ଏକ  ଝାଟିମାଟି ପଲିଥିନ ପକାଯାଇଥିବା ଭଙ୍ଗା ଆଶ୍ରୟ ନେଇଛନ୍ତି   ।

{"id":164348,"width":575,"height":324}

  ଆର୍ଥିକ ଭାବେ ଦୁର୍ବଳ  ରାଜକିଶୋର ପତ୍ନୀକୁ ଦୁଇମୁଠା ଦାନାଦେବା ପାଇଁ ଦିନ ମଜୁରିକି ଆପଣେଇଛନ୍ତି  । ଦିନେ ମଜୁରି କରିବାକୁ ଗଲେ ୫ ଦିନ କୌଣସି କାମ ଧନ୍ଦା ମିଳିନଥାଏ ତାଙ୍କୁ । ଯାହା ଦ୍ଵାରା ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡିଥାଏ ଉଭୟ ପତି ପତ୍ନୀଙ୍କୁ । ଏପଟରେ ଅନ୍ଧ ଓ ମାନସିକ ବିକାରଗ୍ରସ୍ତ ପତ୍ନୀଙ୍କୁ ଛାଡି ବାହାରକୁ କାମ କରିବାକୁ ଯିବା ସମ୍ଭବ ନୁହେଁ ରାଜକିଶୋରଙ୍କ ପକ୍ଷେ । କାରଣ ରାଜକିଶୋର ଙ୍କ ବିନା ଘଡିଏ ମାନସୀଙ୍କର ଚଳିବା ସମ୍ଭବ ନୁହେଁ । ମାନସୀଙ୍କର ଖାଇବା ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟକର୍ମ ରାଜକିଶୋରଙ୍କୁ ସାହାଯ୍ୟ କରିବାକୁ ପଡିଥାଏ । ଏତେ ହଇରାଣ ହରକତ ହେବା ପରେ ବି ଦିନେବି ମନଉଣା କରିନାହାନ୍ତି ରାଜକିଶୋର । ପତ୍ନୀ ମାନସୀର ସମସ୍ତ ସେବା କରିଚାଲିଛନ୍ତି । ତେଣୁ ଏହା ସମାଜ ପାଇଁ ନିଶ୍ଚିତ ଏହା ଏକ ବଡ ଉଦାହରଣ ବୋଲି କହିଛନ୍ତି ଗ୍ରାମବାସୀ ।   

{"id":164349,"width":569,"height":320}

ହେଲେ ବଡ ଦୁଖର ବିଷୟ ଏମାନଙ୍କ ପାଇଁ ସରକାରୀ ସହାୟତା ପାଲଟିଛି ସାତସପନ । ସରକାରୀ ସହାୟତରୁ ବଞ୍ଚିତ ଏହି ଦିବ୍ୟାଙ୍ଗ  । ସରକାରଙ୍କ ଯୋଜନା ଅନୁଯାୟୀ ସକ୍ଷମ ବ୍ୟକ୍ତି ଦିବ୍ୟାଙ୍ଗକୁ ବିବାହ କଲେ ଆର୍ଥିକ  ପ୍ରୋତ୍ସାହନ ରାଶୀ ଯୋଗାଇଦେବାର ସୁବିଧା ଥିବାବେଳେ ଏହି ସୁବିଧାରୁ ବଞ୍ଚିତ ମାନସୀ ଓ ରାଜକିଶୋର । ନା ଅଛି ରହିବା ପାଇଁ ଖଣ୍ଡିଏ ଭଲ ବାସଗୃହ ନା ପେଟକୁ ମୁଠାଏ ଦାନା ଦେବାପାଇଁ ଅର୍ଥ । ସେପଟରେ ମାନସୀ ଚାରିମାସର  ଗର୍ଭବତୀ । ଏପଟରେ ରାଜକିଶୋର ପରିବାର ଲୋକେ ତାଙ୍କୁ ସ୍ଵୀକାର କରୁନଥିବା ବେଳେ ରାଜକିଶୋର ର ଆର୍ଥିକ ସ୍ଥିତି ମଧ୍ୟ ଭଲ ନଥିବାରୁ  ମାନସୀକୁ ଧରି ବାରଦୁଆର ବୁଲିବାକୁ ପଡୁଛି । ଆଗାମୀ ଦିନରେ କିପରି ଚଳିବେ ତାକୁ ନେଇ ଏବେ ଚିନ୍ତାରେ ରାଜକିଶୋର । ତେଣୁ ଜିଲ୍ଲାପ୍ରଶାସନ ଦୁର୍ଦ୍ଦିନ ରେ ଦିନ କାଟୁଥିବା  ପତି ପତ୍ନୀଙ୍କୁ ସରକାରୀ ସାହାଯ୍ୟ  ଶୀଘ୍ର ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଦାବି କରିଛନ୍ତି । ନିଶ୍ଚିତ ଭାବେ ରାଜକିଶୋର ଅତି ପ୍ରଂଶସନୀୟ କାର୍ଯ୍ୟ କରିଛନ୍ତି , ସେ ପ୍ରୋତ୍ସାହନ ପାଇବା ଦରକାର , ଯଥାଶୀଘ୍ର ତାଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରତିଶୃତି ଦେଇଛନ୍ତି ।

କେବେ ମିଳୁଛି ଏହି ଦିବ୍ୟାଙ୍ଗ ମାନସୀ ଓ ରାଜକିଶୋର ଙ୍କୁ ସରକାରୀ ସହାୟତା। ଏହା ସହ କେବେ ଦୂର ହେଉଛି  ତାକୁ ଏମାନଙ୍କର ଅପେକ୍ଷା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.