ପୋଲିସ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆଫ୍ରିକୀୟ ମହିଳା: ଉଲଗ୍ନ ଅବସ୍ଥାରେ ରାସ୍ତାରେ ମାଗୁଥିଲେ ସାହାଯ୍ୟ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨/୦୩ : ରାଜଧାନୀ ଦିଲ୍ଲୀରୁ ପୁଣି ଆସିଛି ଦୁଷ୍କର୍ମ ଖବର | ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ପୁରା ଦେଶ ଖୁସି ମନାଇଥିଲେ | ଦୋଷୀଙ୍କୁ ଫାଶୀ ହେବାପରେ ଦେଶର ଅନେକ ନେତା ଓ ଟିଭି ଚାନେଲ ମଧ୍ୟ ଖୁସି ମନାଇଥିଲେ | କିନ୍ତୁ ଠିକ ଏହାର ଦିନେ ପରେ ଦିଲ୍ଲୀ ରାସ୍ତାରେ ଆଉ ଜଣେ ବିଦେଶୀ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା | ମହିଳା ଜଣକ ଉଗାଣ୍ଡାର | ଦକ୍ଷିଣ ଦିଲ୍ଲୀ ରାସ୍ତାରେ ମହିଳା ଜଣକ ଉଲଗ୍ନ ଅବସ୍ଥାରେ ସାହାଯ୍ୟ ଭିକ୍ଷା କରି କାନ୍ଦୁଥିଲେ | ମହିଳାଙ୍କୁ ୩ଜଣ ପୋଲିସକର୍ମୀ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ |

ଶୁକ୍ରବାର ମଧ୍ୟରାତ୍ରିରେ ଦିଲ୍ଲୀ ହାଇକୋର୍ଟ ଓକିଲଙ୍କ ଘର ନିକଟରେ ଜଣେ ମହିଳା କାନ୍ଦୁଥିବାର ଓକିଲ ସହବ ଅହମଦ ଶୁଣିବାକୁ ପାଇଲେ | ସେ ସଙ୍ଗେସଙ୍ଗେ ଘରୁ ବାହାରି ଘଟଣା ସମ୍ପର୍କରେ ଜାଣିବାକୁ ଗଲେ | ସେ ଦେଖିଲେ ଜଣେ ଆଫ୍ରିକୀୟ ମହିଳା ରାସ୍ତାରେ କାନ୍ଦୁଛନ୍ତି | ତାଙ୍କ ଦେହରେ ବସ୍ତ୍ର ନଥିଲା, ସେ ସମ୍ପୂର୍ଣ ଉଲଗ୍ନ ଥିଲେ | ତାଙ୍କ ନିକଟରେ ୩ଜଣ ପୋଲିସକର୍ମୀ ଛିଡା ହୋଇଥିଲେ | ପୋଲିସକର୍ମୀ ଓକିଲଙ୍କୁ ଏହି ମାମଲାରେ ହସ୍ତକ୍ଷେପ ନ କରିବାକୁ କହିଥିଲେ | ଏହାସହ ପୋଲିସକର୍ମୀ ମହିଳାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ | ଯେତେବେଳେ ଓକିଲ ପୋଲିସକୁ ପଚାରିଲେ ଯେ, ମହିଳା ଜଣକ କାହିଁକି ନିବସ୍ତ୍ର ଅଛନ୍ତି ସେତେବେଳେ ଜଣେ ପୋଲିସକର୍ମୀ କହିଥିଲେ ଯେ, ସେ ସୂଚନା ଦେଇଦେଇଛନ୍ତି | 

ମହିଳା ଅଭିଯୋଗ କରିଥିଲେ ଯେ, ପୋଲିସକର୍ମୀ ତାଙ୍କ ଡ୍ରେସ ଖୋଲିଦେଇଥିଲେ ଏବଂ ତାଙ୍କୁ ମାଡ ମାରିଥିଲେ | ନିକଟସ୍ଥ ଅଞ୍ଚଳରେ ବସବାସ କରୁଥିବା ଲୋକେ, ଆମ୍ବେଦକର ୟୁନିଭର୍ସିଟି ଛାତ୍ରଛାତ୍ରୀ ଏବଂ ଓକିଲ ପ୍ରତ୍ୟୁଷ ରାଓ ମାମଲାରେ ହସ୍ତକ୍ଷେପ କରିଥିଲେ | ମହିଳାଙ୍କୁ ତାଙ୍କ ଡ୍ରେସ ଫେରାଇଦେବାକୁ ଓ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବାକୁ କହିଥିଲେ | ଘଟଣା ବିରୋଧରେ ମାମଲା ରୁଜ୍ଜୁ କରିବାକୁ ମଧ୍ୟ ଦାବି କରିଥିଲେ |

ଠିକ ସେତିକିବେଳେ ଜଣେ ମହିଳା ସେଠାରେ ଟ୍ୟାକ୍ସିରୁ ଓହ୍ଲାଇଥିଲେ ଏବଂ ତାଙ୍କୁ ପିନ୍ଧିବା ପାଇଁ ଡ୍ରେସ ଦେଇଥିଲେ | ଆଫ୍ରିକୀୟ ମହିଳା ଡ୍ରେସ ନ ପିନ୍ଧି ପାଟିକରି କହିଥିଲେ, ତୁମେ ଭାରତୀୟମାନେ ଏୟା ହିଁ ଦେଖିବାକୁ ଚାହୁଁଚ | ମୁଁ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଦେଖାଇବି | ଏହା କହି ସେ ସେଠାରେ ଉଲଗ୍ନ ହୋଇ ଛିଡା ହୋଇଥିଲେ | ଏହାପରେ ଜଣେ ମହିଳା ପୋଲିସକର୍ମୀ ତାଙ୍କୁ ଡ୍ରେସ ପିନ୍ଧାଇ ଦେଇଥିଲେ ବୋଲି କହିଛନ୍ତି ଓକିଲ ସହବ ଅହମଦ | ଏହାପରେ ତାଙ୍କୁ ମେଡିକାଲ ଚେକଅପ ପାଇଁ ହସ୍ପିଟାଲ ନିଆଯାଇଥିଲା |

ସଦରଜଙ୍ଗ ପୋଲିସ ଥାନାରେ ଆଫ୍ରିକୀୟ ମହିଳା ଜଣକ ଏକ ଲିଖିତ ଅଭିଯୋଗ କରିଥିଲେ | ସେ ନିଜ ବାପାଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିଲେ | ଓକିଲ ସହବ ଅହମଦ କହିଛନ୍ତି, ସକାଳ ସାଢେ ୬ଟା ଯାଏଁ ସେ ଥାନାରେ ଥିଲେ | ସେ ବାରମ୍ବାର ପୋଲିସ ଅଧିକାରୀଙ୍କୁ କହିଥିଲେ ଯେ, ମହିଳାଙ୍କ ଶରୀରରେ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଛି | ମହିଳା ନିଜେ କହିଛନ୍ତି ଯେ ପୋଲିସକର୍ମୀ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଏବଂ ସେ ମାମଲା ରୁଜ୍ଜୁ କରିବାକୁ ଚାହୁଁଛନ୍ତି | କିନ୍ତୁ ଥାନା ଅଧିକାରୀ ମନା କରିଦେଇଥିଲେ | ଏପରିକି ସେ ଥାନା ରେଜିଷ୍ଟରରେ ମାମଲା ଏଣ୍ଟ୍ରି କରିବା ପାଇଁ ମଧ୍ୟ ମନା କରିଦେଇଥିଲେ | ଜଣେ ପୋଲିସ ବାବୁ କହିଥିଲେ,"ଇଏ ଦିଲ୍ଲୀର ଅଳିଆ, ଇୟା ମାମଲା କଣ ରୁଜ୍ଜୁ କରିବି ଓଲଟା ଇୟା ବିରୋଧରେ ମାମଲା ରୁଜ୍ଜୁ କରିବି |"

ମହିଳାଙ୍କ ଅଭିଯୋଗକ୍ରମେ, ସେ ମେଟ୍ରୋ ଯୋଗେ ଗ୍ରୀନ ପାର୍କ ସ୍ଥିତ ନିଜ ବନ୍ଧୁକୁ ସାକ୍ଷାତ କରିବାକୁ ଆସିଥିଲେ | ସେଠାରେ ଆଉ କିଛି ବିଦେଶୀ ନାଗରିକ ଛିଡା ହୋଇଥିବାର ସେ ଦେଖିଥିଲେ | ସେ ସେମାନଙ୍କ ନିକଟକୁ ଯାଇ ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିବା ସମୟରେ ହଠାତ ସେଠାରେ ପୋଲିସ ପହଞ୍ଚି ଯାଇଥିଲା | ମହିଳା ଦେହ ବ୍ୟବସାୟ ଲିପ୍ତ ଥିବା ସନ୍ଦେହ କରି ମହିଳାଙ୍କୁ କାବୁ କରିଥିଲା | ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ |

ଏହାପରେ ଏକ ବାଇକରେ ୨ଜଣ ପୋଲିସକର୍ମୀ ଆସି ତାଙ୍କ ପାଖରେ ପହଞ୍ଚିଥିଲେ | ଏହାପରେ ସେମାନେ ମହିଳାଙ୍କୁ ବାଡେଇଥିଲେ | ଏହାପରେ ତାଙ୍କୁ ଗାଡି ଭିତରକୁ ଟାଣି ନେଇଥିଲେ | ଗାଡି ଭିତରେ ଆଉ ଦୁଇଜଣ ପୋଲିସକର୍ମୀ ପୂର୍ବରୁ ହିଁ ଥିଲେ | ଏହାପରେ ସେମାନେ ମହିଳାଙ୍କୁ ସେଠାରୁ ନେଇଯାଇଥିଲେ ଏବଂ ଅର୍ଜୁନ ନଗର ନିକଟସ୍ଥ ସ୍ମସାନରେ ଗାଡି ଅଟକାଇଥିଲେ | ଅନ୍ୟ ଦୁଇଜଣ ପୋଲିସକର୍ମୀ ବାଇକରେ ପଛେ ପଛେ ଆସୁଥିଲେ | ସେତେବେଳେ ରାତି ପ୍ରାୟ ୧୧ଟା ହୋଇଥିଲା | ଏହାପରେ ଜଣେ ପୋଲିସ ମହିଳାଙ୍କ ଡ୍ରେସ ଖୋଲି ଦେଇଥିଲା | ତାଙ୍କୁ ଏଥିପାଇଁ ସହଯୋଗ କରିବାକୁ ପୋଲିସ ମହିଳାଙ୍କୁ ଧମକ ଦେଇଥିଲେ |

ମହିଳା ତାଙ୍କ ସହ ଦୂରବାବହର କରିଥିବା ୩ ଜଣ ପୋଲିସଙ୍କ ମଧ୍ୟରୁ ୨ ଜଣଙ୍କ ନାଁ କହିଛନ୍ତି ଏବଂ ଅନ୍ୟ ଜଣଙ୍କୁ ଦେଖି ଚିହ୍ନଟ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି |

ମହିଳା କହିଛନ୍ତି ଯେ, ସେ କାର ଡ୍ରାଇଭରକୁ କାମୁଡି ଦେଇଥିଲେ | ଏହାପରେ ସେ କଳେବଳେ କୌଶଳେ କାରରୁ ବାହାରି ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ିଥିଲେ | କାଳେ ପୋଲିସକର୍ମୀ ତାଙ୍କୁ ପିଛା କରିବେ ସେନେଇ ସେ ଭୟଭୀତ ଥିଲେ | ରାସ୍ତା ମଝିରେ ଛିଡା ହୋଇ ବିଭିନ୍ନ ଗାଡି ଅଟକାଇ ସାହାଯ୍ୟ ମାଗିଥିଲେ | ଠିକ ଏତିକିବେଳେ ସେହି ୩ ପୋଲିସକର୍ମୀ ସେଠାରେ ପହଞ୍ଚିଥିଲେ | ତାଙ୍କୁ ଦେଖି ମହିଳା ନିଜ ସୁରକ୍ଷା ପାଇଁ ରାସ୍ତାରୁ ଏକ ପଥର ଗୋଟେଇ ତାଙ୍କ ଆଡକୁ ନ ଆସିବାକୁ ଧମକ ଦେଇଥିଲେ |

ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ ଦୁଷ୍କର୍ମ ହୋଇନଥିବା ମେଡିକାଲ ରିପୋର୍ଟରେ ସ୍ପଷ୍ଟ ହୋଇଛି | ସଫଦରଜଙ୍ଗ ପୋଲିସ ମାମଲାର ତଦନ୍ତ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.