ଓଓ୍ବେସିଙ୍କ ସଭାରେ ପାକିସ୍ତାନ ଜିନ୍ଦାବାଦ କହି ୧୪ଦିନ ଜେଲ୍ ଗଲେ ଯୁବତୀ : ପୋଲିସ୍ କଲା ଦେଶଦ୍ରୋହ ମାମଲା

Published By : Prameya-News7 Bureau | February 21, 2020 IST

ବେଙ୍ଗାଲୁରୁ ୨୧/୨: : ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସିଙ୍କ ସଭାରେ ହୋଇଥିଲା ହଟ୍ଟଗୋଳ। କେତେବେଳେ ପାକିସ୍ତାନ ଜିନ୍ଦାବାଦ ନାରା ପଡ଼ିଲା ପୁଣି କେତେବେଳେ ହିନ୍ଦୁସ୍ତାନ ଜିନ୍ଦାବାଦ ନାରା। ଆଉ ଏସବୁ ଭିତରେ ଓୱେସି ଯେମିତି ତୋବା ତୋବା ହୋଇଗଲେ।

ଜଣେ ମହିଳା ମଞ୍ଚରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିଲେ। ମହିଳାଙ୍କ ନାଁ ଅମୂଲ୍ୟା ବୋଲି କୁହାଯାଉଛି। ଏହା ପରେ ମହିଳାଙ୍କୁ ମଞ୍ଚରୁ ତଳେ ଓହ୍ଲାଇ ଦିଆଯାଇଥିଲା। ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ତାଙ୍କୁ ୧୪ଦିନ ପାଇଁ ଜେଲ୍ ପଠାଇ ଦିଆଯାଇଛି।

ବେଙ୍ଗାଲୁରୁରେ ଆୟୋଜନ ହୋଇଥିଲା ସିଏଏ ବିରୋଧୀ ରାଲି । ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସିଙ୍କ ଉପସ୍ଥିତିରେ ନେତାଏ ଗର୍ଜୁଥିଲେ ସିଏଏ ବିରୋଧରେ। ତେବେ ଏତିକିବେଳେ ଜଣେ ମହିଳା ଧରିଥିଲେ ମାଇକ୍ରୋଫୋନ ଧରି ଥିଲେ ଆଉ ଆରମ୍ଭ କରିଥିଲେ ପାକିସ୍ତାନ ଜିନ୍ଦାବାଦ। ସଭାରୁ ଦୂରରେ ଥିବା ଓୱେସିଙ୍କ କାନରେ ଏକଥା ପଡ଼ିବା ପରେ ତୁରନ୍ତ ସେ ବ୍ୟାକ୍ ଗିୟର ପକାଇଥିଲେ। ଫେରିଥିଲେ ଏହି ଯୁବତୀଙ୍କ ନିକଟକୁ। ସମସ୍ତେ ଘେରି ଯାଇଥିଲେ। କେମିତି ବି ହେଉ ମାଇକ୍ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ପାଖରେ ବି ନଥିଲେ ମହିଳା ପୋଲିସ। ବେଶ୍ କିଛି ସମୟ ଧରି ଚାଲିଥିଲା ଟଣା ଓଟରା। ଯୁବତୀଙ୍କୁ ନିୟନ୍ତ୍ରଣ କରିବା ବଡ଼ ମୁସ୍କିଲ ହୋଇଥିଲା। କିଏ ମାଇକ ଟାଣୁଥିଲା ଆଉ କିଏ କାଳେ କୌଣସି ଦୁର୍ବ୍ୟବହାର ମାମଲାରେ ଫସିଯିବେ ଡରି ଡରି ଦୂରେଇଯାଉଥିଲା। ଆଉ ଏ ସବୁ ଭିତରେ ଯୁବତୀ ଜଣକ କଣ ବୁଝିଲେ କେଜାଣି ବୁଲିକି ପୁଣି କହିଥିଲେ ହିନ୍ଦୁସ୍ତାନ ଜିନ୍ଦାବାଦ। ଆଉ ବଡ଼ ଅକଳରେ ପଡ଼ିଥିବା ଉପସ୍ଥିତ ଲୋକମାନେ ଯୁବତୀଙ୍କ ସହିତ ହିନ୍ଦୁସ୍ତାନ ଜିନ୍ଦାବାଦ ନାରା ବି ତାଙ୍କ ସହିତ ଦେଇଥିଲେ। ଓୱେସିଙ୍କ ସଭା ନସରୁଣୁ ଏଣେ ବିଜେପି ବି ଓୱେସିଙ୍କ ସମାଲୋଚନାରେ ଲାଲ ହୋଇଯାଇଥିଲା।

ସଭାରେ ଏସବୁ ସ୍ଥିତି ଦେଖି ଓୱେସି ବିରକ୍ତ ହୋଇଯାଇଥିଲେ। ଆଉ ଭାଷଣ ତ ଦେଇଥିଲେ ଆଉ ସିଧା ଆୟୋଜକଙ୍କ ଉପରେ ବର୍ଷିଥିଲେ। ଏମିତି ଏଠି ହେବାର ଥିବା ଜାଣିଥିଲେ ମୁଁ ଆଉ ଏଠିକି ଆସିନଥାନ୍ତି ବୋଲି କହିଥିଲେ।

ଓୱେସିଙ୍କ ସିଏଏ ବିରୋଧୀ ରାଲିରେ ଷଣ୍ଢ ପୂରାଇଦେଇଥିବା ଏହି ଯୁବତୀ ହେଲେ ଜଣେ ସାମିଜିକ କର୍ମୀ ଅମୂଲ୍ୟା। ସଭାସ୍ଥଳରୁ କିଛି ମହିଳା ପୋଲିସ ତାଙ୍କୁ ନେଇ ଅଟକ ରଖିଛନ୍ତି। ଆଉ ସେପଟେ ଏଭଳି ଘଟଣା ସଂପର୍କରେ ଶୁଣି ଅମୂଲ୍ୟାଙ୍କ ବାପା ବି ହତ ଚକିତ ହୋଇଛନ୍ତି।

ଅମୂଲ୍ୟାଙ୍କୁ କିଛି ବିରୋଧୀ ଗୋଷ୍ଠୀ ପଠାଇଥିବା ଅଭିଯୋଗ କରିଛନ୍ତି ଆୟୋଜକଙ୍କ ମଧ୍ୟରେ ଥିବା ଜେଡିଏସ। ତେବେ ଓୱେସିଙ୍କ ସିଏଏ ବିରୋଧୀ ରାଲି ଯେତିକି ଚର୍ଚ୍ଚିତ ହୋଇନଥିଲା ତାଠାରୁ ଅମୂଲ୍ୟାଙ୍କ ଭାଷଣ ଅଧିକ ଚର୍ଚ୍ଚିତ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.