ଆସୁଛି ବାତ୍ୟା : ପାରାଦୀପଠାରୁ ୧୧୦୦ କିଲୋମିଟର ଦୂରରେ ବଙ୍ଗୋପସାଗରରେ ଘନୀଭୂତ

Published By : Prameya-News7 Bureau | May 16, 2020 IST

ଭୁବନେଶ୍ବର ୧୬।୫: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନର ରୂପ ନେଇଛି । ଏହା ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ । ଏହି ବାତ୍ୟାର ନାମ ରହିବ ‘ଆମ୍ଫାନ୍’ । ସମ୍ଭାବ୍ୟ ବାତ୍ୟା ଏବେ ପାରାଦୀପଠାରୁ ୧୧୦୦ କିଲୋମିଟର ଦୂରରେ ଘନୀଭୂତ ହୋଇଛି । ପଶ୍ଚିମବଙ୍ଗର ଦିଘାଠାରୁ ଏହା ୧୨୫୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ ଉତ୍ତର ପୂର୍ବ ଦିଗରେ ଗତିକରି ପଶ୍ଚିମବଙ୍ଗ ଆଡେ ମୁହାଁଇବ । ୧୮ ତାରିଖ ଅପରାହ୍ନରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ୧୯ ତାରିଖ ସଂଧ୍ୟା ବେଳକୁ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟାର ରୂପ ନେବ । ଏହି ସମୟରେ ପବନର ବେଗ ୧୬୦ରୁ ୧୭୦ କିଲୋମିଟର ମଧ୍ୟରେ ରହିବ । ଏପରିକି ପବନର ବେଗ ୧୯୦ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ଭାରତୀୟ ପାଣିପାଗ ବିଭାଗର ରିଜିଓନାଲ ସାଇକ୍ଲୋନିକ୍ ମନିଟରିଂ ସେଣ୍ଟର ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍’ର ଓଡିଶା ଉପରେ କି ପ୍ରଭାବ ରହିବ, ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ପୂର୍ବାନୁମାନ କରିନାହିଁ । ଏହି ବାତ୍ୟା କେଉଁଠି ଉପକୂଳ ଅତିକ୍ରମ କରିବ ବା ଲ୍ୟାଣ୍ଡଫଲ୍ କରିବ ତାହା ବର୍ତ୍ତମାନ ଆକଳନ କରାଯାଇନାହିଁ। ଏହି ବାତ୍ୟା ଓଡିଶା ମୁହାଁ ନ ହୋଇ ପଶ୍ଚିମବଙ୍ଗ ବା ବାଂଲାଦେଶ ଆଡକୁ ଗତି କରିପାରେ । ଯଦି ଏହି ଆକଳନ ଠିକ୍ ହୁଏ ତେବେ ଓଡିଶାରେ ପ୍ରବଳ ବର୍ଷା ହେବ ଏବଂ ପବନ ମଧ୍ୟ ବହିବ। ଅର୍ଥାତ୍ ବାତ୍ୟାର ସିଧା ପ୍ରଭାବ ଓଡିଶାରେ ରହିବ ନାହିଁ ।

ଏହାର ପ୍ରଭାବରେ ୧୮ ତାରିଖରୁ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ସ୍ଥଳବିଶେଷରେ ଏହା ୬୦ କିଲୋମିଟର ଛୁଇଁପାରେ। ହେଲେ ପୂର୍ବ ଓ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସହିତ ପବନର ବେଗ ଅପେକ୍ଷାକୃତ ଅଧିକ ରହିବ । ଅର୍ଥାତ୍ ୬୦ରୁ ୭୦ କିଲୋମିଟର ବେଗରେ ବହିବ । ମଝିରେ ମଝିରେ ୮୦ କିଲୋମିଟର ବେଗରେ ଝଟକା ଦେଇପାରେ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ଗଜପତିରୁ ମୟୁରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି । ହେଲେ ଉତ୍ତର ଉପକୂଳରେ ଥିବା ୪ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଅଧିକ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ଆଜି ସଂଧ୍ୟା ସୁଦ୍ଧା ଉପକୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାରମ୍ଭିକ ଆକଳନରୁ ଯାହା ଜଣାପଡୁଛି ୧୮ ତାରିଖରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, କେନ୍ଦ୍ରାପଡା ପୁରୀ ସହ ୬୦ରୁ ୭୦କିଲୋମିଟର ବେଗରେ ପବନ ବହିପାରେ । ସେହିଭଳି ୧୯ ତାରିଖରେ କେନ୍ଦ୍ରାପଡା, ବାଲେଶ୍ବର, ମୟୁରଭଞ୍ଜ, ଜଗତସିଂହପୁର, ଯାଜପୁର ଏବଂ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୮୫ରୁ ୯୦ କିଲୋମିଟର ରହିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.