ପ୍ରଧାନମନ୍ତ୍ରୀଙ୍କ ଘୋଷଣାରେ ଖୁସି ହେଲେନି ଦିଦି, କହିଲେ- କ୍ଷତି ୧ ଲକ୍ଷ କୋଟି, ଆଉ ଛାମୁ ଦେଉଛନ୍ତି ମାତ୍ର ୧ ହଜାର କୋଟି

Published By : Prameya-News7 Bureau | May 22, 2020 IST

କୋଲକାତା ୨୨।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାତ୍ୟା ଅମ୍ଫାନରେ ଗୁରୁତର ପ୍ରଭାବିତ ପଶ୍ଚିମବଙ୍ଗର ଅନେକ ଜିଲ୍ଲା ପରିଦର୍ଶନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ କ୍ଷୁବ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, କ୍ଷୟକ୍ଷତି ଏକ ଲକ୍ଷ  କୋଟି ଟଙ୍କାର ହୋଇଛି ଏବଂ ପ୍ୟାକେଜ୍‌ରେ ମାତ୍ର ଏକ ହଜାର କୋଟି ଟଙ୍କା ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ମାତ୍ର ଏହା ସଂପର୍କିତ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଅର୍ଥ କେବେ ମିଳିବ  ବା ଏହା ଅଗ୍ରୀମ ଅର୍ଥ ରାଶି ସେ ବିଷୟରେ କିଛି କୁହାଯାଇ ନାହିଁ।  ବାତ୍ୟା ଅମ୍ଫାନ କାରଣରୁ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି। ୫୬ ହଜାର କୋଟି ଟଙ୍କା ତ ଆମର କେନ୍ଦ୍ର ପକ୍ଷରୁ ମିଳିବାର ଅଛି ବୋଲି ମମତା କହିଛନ୍ତି।

{"id":274143,"sizeSlug":"large"}

କଣ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ କହିଥିଲେ ଯେ, ବାତ୍ୟା ଅମ୍ଫାନର ମୁକାବିଲାରେ  ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ଏହା ପରେ ବି ୮୦ ଜଣଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା। ଏଥିରେ ଆମେ ସମସ୍ତେ ଦୁଃଖିତ। ଯେଉଁ ପରିବାର ନିଜର ପରିଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମବେଦନା ରହିଛି।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ପ୍ରଭାବିତଙ୍କୁ ଯଥା ସମ୍ଭବ ସହାୟତା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାମ କରୁଛନ୍ତି। ଏହାର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ତତ୍କାଳ ୧ ହଜାର କୋଟି ଟଙ୍କା ଅର୍ଥରାଶି ଯୋଗାଇ ଦିଆଯିବ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନ ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ରାଶି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.